ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ୍ ସିରିଜ୍
ମୁମ୍ବାଇ,୧୦/୭ : ଆସନ୍ତା ୧୮ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ୍ ଆରମ୍ଭ ହେବ । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହାକୁ ୫ ଦିନ ଘୁଞ୍ଚାଇ ଦିଆଯାଇଛି ।
ନୂଆ କାର୍ଯ୍ୟସୂଚୀ ଅନୁସାରେ ଦୁଇଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ଏକ ଦିନିକିଆ ମ୍ୟାଚ ଓ ୩ଟି ଟି-୨୦ ମ୍ୟାଚ୍ ଜୁଲାଇ ୧୮ରୁ ଆରମ୍ଭ ହୋଇ ଜୁଲାଇ ୨୯ରେ ଶେଷ ହେବ । ତେବେ ମ୍ୟାଚ ଗୁଡ଼ିକର ସବିଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଘୋଷଣା କରାଯିବ ।
ଇଂଲଣ୍ଡ ଗସ୍ତରୁ ଫେରିଥିବା ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ ଗ୍ରାଣ୍ଡ ଫ୍ଲାଓ୍ବାରଙ୍କ ସମେତ କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ସିରିଜକୁ କିଛିଦିନ ଘୁଞ୍ଚାଇବାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ଶନିବାର ଉଭୟ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏଥିପାଇଁ ସହମତ ହୋଇଥିଲେ ।