ଭୁବନେଶ୍ବର,୧୬/୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।
ଏହି କାର୍ଯ୍ୟକ୍ରମରେ ନିଜର ସ୍ବାଗତ ଭାଷଣ ରଖି ମିଶନ ଶକ୍ତିର କମିସନର ତଥା ସଚିବ ସୁଜାତା କାର୍ତ୍ତିକେୟନ କହିଲେ ଯେ ଗୋଟିଏ ଯୋଜନାକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ସାରା ଭାରତବର୍ଷରେ ଏକମାତ୍ର ରାଜ୍ୟ। ଏଥିରୁ ମହିଳା ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଅନୁମେୟ।