କୋଲକାତା,୨୨/୭ : ଜୁଲାଇ ୨୮ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି। ତେବେ ସେହି ବୈଠକକୁ ନେଇ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି, “ମୁଁ ଦୁଇ-ତିନି ଦିନ ପାଇଁ ଦିଲ୍ଲୀ ଯିବି। ସେଠାରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି। ମୋତେ ତାଙ୍କର ସମୟ ମିଳିସାରିଛି। ମୁଁ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବି।” ବାତ୍ୟା ୟାସର କ୍ଷୟକ୍ଷତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କରିଥିବା ବୈଠକରୁ ଅଧାରୁ ଉଠି ଚାଲିଆସିବା ପରେ ଏହା ମମତା ବାନାର୍ଜୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ବ୍ୟକ୍ତିଗତ ବୈଠକ ହେବ ।