ନିୟମ ନମାନିଲେ ସମ୍ପୂର୍ଣ୍ଣ ଲକଡାଉନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪/୮: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ଯେ କୋଭିଡ ସଂକ୍ରମଣ ଏ ଯାଏଁ ଦୂର ହୋଇନି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୋଭିଡର ଦ୍ଵିତୀୟ ଲହରର ମୁକାବିଲା ଦିଗରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଓଡିଶା କୋଭିଡ ମୁକାବିଲା ଦିଗରେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଆଗରେ ରହିଛି। ସେ କହିଛନ୍ତି ଯେ ଆମ ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ କଠିନ ପରିଶ୍ରମ ଯୋଗୁ ଏହା ସମ୍ଭବ ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଅନ୍ୟ ଭାଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଏହା ସ୍ଥିର ରହିଛି। ତେବେ ବିଶ୍ୱର କିଛି ରାଷ୍ଟ୍ରରେ କୋଭିଡର ତୃତୀୟ ଲହର ଆସିସରଇ ଥିବାବେଳେ ଭାରତରେ ବୈଜ୍ଞାନିକମାନେ ଏହା ନେଇ ସତର୍କ କରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନଙ୍କ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବା (ଅନଲକ) ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସାମାନ୍ୟ ଅସାବଧାନତା ହେଲେ କୋଭିଡ ସଂକ୍ରମଣ ପୁଣି ପ୍ରଭାବ ପକାଇବା ବୋଲି ସତର୍କ କରାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିହାତି ଆବଶ୍ୟକ ନ ଥିଲେ ଆମେ ବାହାରକୁ ବାହାରିବା ନାହିଁ। ଭିଡ କରିବା ନାହିଁ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ଟୀକା ଆମକୁ ସୁରକ୍ଷା ଦେଉଛି କିନ୍ତୁ ପୁନର୍ବାର ସଂକ୍ରମଣର ଭୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଆମ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସତର୍କ ହେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ଯେ ଯଦି ଲୋକମାନେ କୋଭିଡ ନିର୍ଦ୍ଦେଶାବଳୀ ଉଚିତ ଭାବେ ପାଳନ ନ କରନ୍ତି, ତେବେ ପୁନର୍ବାର ସରକାର ସମ୍ପୂର୍ଣ୍ଣ ଲକଡାଉନ ଜାରି କରିବାକୁ ବାଧ୍ୟ ହେବେ। ସେ କହିଛନ୍ତି, ନିଷ୍ପତ୍ତି ଆପଣଙ୍କର କାରଣ ଜୀବନ ଅମୁଲ୍ୟ। ଓଡିଶାକୁ ନିରାପଦ ରଖିବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି।