ନୂଆଦିଲ୍ଲୀ,୫/୮: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଜି ଭାରତୀୟ ପୁରୁଷ ହକି ଦଳକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଓଏ ହକି ଷ୍ଟାଡିୟମରେ ଏକ ରୋମାଞ୍ଚକର ପ୍ଲେ-ଅଫ୍ ମ୍ୟାଚ୍’ରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଏହି ଅଲିମ୍ପିକ୍ ପଦକ ହାସଲ କରିଛି।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଟ୍ୱିଟ ଜରିଆରେ ଟୋକିଓରେ ଭାରତର ସଫଳତାକୁ ପ୍ରଶଂସା କରିବା ସହ ହକି ଖେଳରେ ପଦକ ପାଇବାକୁ ୪୧ ବର୍ଷର ପ୍ରତୀକ୍ଷାର ଶେଷ କରିଥିବାରୁ ଦଳକୁ ପ୍ରଶଂସା କରିଛନ୍ତି। ୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ ପଦକ ଜିତିବା ପାଇଁ ଆମ ପୁରୁଷ ହକି ଦଳକୁ ଅଭିନନ୍ଦନ। ଦଳ ଜିତିବା ପାଇଁ ଅତୁଳନୀୟ କୌଶଳ, ସ୍ଥିରତା ଏବଂ ସଂକଳ୍ପ ଦେଖାଇଲା। ଏହି ଐତିହାସିକ ବିଜୟ ହକିରେ ଏକ ନୂତନ ଯୁଗ ଆରମ୍ଭ କରିବ ଏବଂ ଯୁବକମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବ ବୋଲି ସେ ଟୁଇଟ୍ କରିଛନ୍ତି।
ଉପ-ରାଷ୍ଟ୍ରପତି ମଧ୍ୟ ଟ୍ୱିଟରରେ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଜର୍ମାନୀ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ହକି ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଦଳ ଉତ୍କୃଷ୍ଟ ବୃତ୍ତିଗତ ପ୍ରଦର୍ଶନ କରିଛି ଏବଂ ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ ବୋଲି ଶ୍ରୀ ନାଇଡୁ ଟ୍ୱିଟ୍ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କ ବିଜୟ ସହିତ ଭାରତୀୟ ଦଳ ସମଗ୍ର ଦେଶର ବିଶେଷ କରି ଯୁବକମାନଙ୍କ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି। ଏହା ଏକ ଐତିହାସିକ ଦିନ ଯାହା ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଲିପିବଦ୍ଧ ହେବ। ଆମ ପୁରୁଷ ହକି ଦଳ ବ୍ରୋଞ୍ଜ ଆଣିଥିବାରୁ ଅଭିନନ୍ଦନ। ଆମ ହକି ଦଳ ପାଇଁ ଭାରତ ଗର୍ବିତ ବୋଲି କହିଛନ୍ତି।