ପହିଲବାନ ରବି ଦହିୟାଙ୍କୁ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ହରିୟାଣା ସରକାର

ନୂଆଦିଲ୍ଲୀ,୫/୮ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପହିଲବାନ ରବି ଦହିୟା ରୋପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ଅନ୍ତିମ ମ୍ୟାଚରେ ଋଷର ପହିଲବାନ ଜଭୁର ୟୁଗେଭ ତାଙ୍କୁ ପରାସ୍ତ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୋପ୍ୟ ପଦକ ଜିତିବା ପରେ ହରିୟାଣା ସରକାର ତାଙ୍କୁ ପୁରସ୍କାର ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବି ଦହିୟାଙ୍କୁ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏହା ସହିତ ରବି ଦହିୟା ମଧ୍ୟ ସୋନିପତର ନାହରି ଗ୍ରାମରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।

ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୋପ୍ୟ ପଦକ ଜିତିଥିବା କୁସ୍ତିଯୋଦ୍ଧା ରବି ଦହିୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ରବି କୁମାର ଦହିୟା ଜଣେ ଉଜ୍ଜ୍ୱଳ କୁସ୍ତିଯୋଦ୍ଧା। ତାଙ୍କର ସଂଗ୍ରାମ ଭାବନା ଓ ତପ ଉତ୍କୃଷ୍ଟ। ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ରୋପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ। ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ।”

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତର ରବି କୁମାର ଦହିୟା ଏବଂ ଋଷର ରେସଲର ଜଭୁର ୟୁଗେଭ ମୁହାଁମୁହିଁ ହୋଇଥିଲେ। ୫୭ କିଲୋଗ୍ରାମ ଓଜନ ବର୍ଗର ଏହି ପ୍ରତିଯୋଗିତା ଉପରେ ସମଗ୍ର ବିଶ୍ୱର ନଜର ଥିଲା। ସୂଚନାଯୋଗ୍ୟ ଯେ, ରବି ଦହିୟା ଅଲିମ୍ପିକ୍ସର ଫାଇନାଲରେ ପହଞ୍ଚିଥିବା ଦ୍ୱିତୀୟ ଭାରତୀୟ କୁସ୍ତିଯୋଦ୍ଧା। ଏହାପୂର୍ବରୁ ସୁଶୀଲ କୁମାର ୨୦୧୨ ରେ ଫାଇନାଲରେ ପ୍ରବେଶ କରିଥିଲେ।