କଟକ,୧୧/୮ : ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ମେଧା ନିର୍ଦ୍ଧାରଣ ତଥା ପରୀକ୍ଷା ପଦ୍ଧତି ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ସିବିଏସ୍ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଢାଞ୍ଚାରେ ଓଡ଼ିଶା ବୋର୍ଡ ଦଶମରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ସମୟକୁ ଅଧା ଶିକ୍ଷାବର୍ଷ ଓ ଡିସେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ବାକି ଅଧା ଶିକ୍ଷାବର୍ଷ ଭାବେ ପରିଗଣିତ ହେବ। ଏହି ସମୟରେ କୌଣସି ଲମ୍ବା ଛୁଟି ହେବ ନାହିଁ। ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍ ଆସେସମେଣ୍ଟ୍ କରାଯିବ। ଉଭୟ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ଦ୍ବିତୀୟ, ନଭେମ୍ବର ପ୍ରଥମ, ଜାନୁଆରି ଦ୍ବିତୀୟ ଓ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଫର୍ମାଟିଭ୍ ଆସେସମେଣ୍ଟ୍(ବିଷୟ ଭିତ୍ତିକ ମୂଲ୍ୟାୟନ) କରାଯିବ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଅର୍ଦ୍ଧ ବାର୍ଷିକ ଓ ବାର୍ଷିକ, ଏଭଳି ଦୁଇଟି ପରୀକ୍ଷା ହେବ। ଛାତ୍ରଛାତ୍ରୀ ଅନଲାଇନରେ ଫର୍ମପୂରଣ କରି ବୋର୍ଡ ଦ୍ବାରା ନିର୍ଦ୍ଧାରିତ କେନ୍ଦ୍ରରେ ପରୀକ୍ଷା ଦେବେ। ଅର୍ଦ୍ଧବାର୍ଷିକ ପରୀକ୍ଷା ନଭେମ୍ବର ଶେଷ ସପ୍ତାହରେ ହେବ। ପ୍ରତି ବିଷୟର ୫୦% ପାଠ୍ୟକ୍ରମରୁ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନକୁ ନେଇ ଓଏମଆର୍ ସିଟ୍ରେ ପରୀକ୍ଷା କରାଯିବ। ପରୀକ୍ଷାର ଅବଧି ଏକ ଘଣ୍ଟା ରହିବ ଏବଂ କମ୍ପ୍ୟୁଟରରେ ଖାତା ମୂଲ୍ୟାୟନ ହେବ। ବାର୍ଷିକ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ ହେବ। ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ନେଇ ପ୍ରତ୍ୟେକ ବିଷୟରେ ୫୦ ନମ୍ବର ମଲଟିପୁଲ୍ ଚଏସ ଓ ୩୦ ନମ୍ବର ସବଜେକ୍ଟିଭ୍ ପ୍ରଶ୍ନକୁ ନେଇ ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ନହୋଇ ପାରିଲେ ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେବେ। କେଉଁ ସ୍କୁଲର ଶିକ୍ଷକ କେଉଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖିବେ ତାହା ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଧାରଣ କରିବେ। ବୋର୍ଡ ପୋର୍ଟାଲରେ ଏହି ନମ୍ବର ଅପଲୋଡ୍ କରାଯିବ। ଯଦି ଛାତ୍ରଛାତ୍ରୀ ଦୁଇଟି ଯାକ ପରୀକ୍ଷା ଦେଇପାରିଲେ ତେବେ ଇଣ୍ଟରନାଲ୍ ଆସେସମେଣ୍ଟର ୨୦%, ଅର୍ଦ୍ଧବାର୍ଷିକ ପରୀକ୍ଷାର ୩୦% ଓ ବାର୍ଷିକ ପରୀକ୍ଷା ନମ୍ବରର ୫୦% ୱେଟେଜକୁ ନେଇ ଚୂଡ଼ାନ୍ତ ମାର୍କସିଟ୍ ପ୍ରସ୍ତୁତ କରାଯିବ।
ଯଦି ଅର୍ଦ୍ଧବାର୍ଷିକ ପରୀକ୍ଷା ସ୍କୁଲରେ ନ ହୋଇ କେବଳ ବାର୍ଷିକ ପରୀକ୍ଷା ହୁଏ ତେବେ ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ନମ୍ବରର ୨୦%, ଘରେ ରହି ଦେଇଥିବା ଅର୍ଦ୍ଧବାର୍ଷିକ ପରୀକ୍ଷାର ୨୦% ଓ ବାର୍ଷିକ ପରୀକ୍ଷା ନମ୍ବରର ୬୦% ହିସାବକୁ ନେଇ ଚୂଡାନ୍ତ ମାର୍କସିଟ୍ ପ୍ରସ୍ତୁତ କରାଯିବ।