ଆଜି ବିଶ୍ୱ ହସ୍ତୀ ଦିବସ : ୧୧ ବର୍ଷରେ ମଲେଣି ୮୬୨ ହାତୀ

ଭୁବନେଶ୍ବର,୧୨/୮ : ଓଡ଼ିଶାରେ ମୌର୍ଯ୍ୟ, ମୋଗଲ ବଂଶ ଶାସନ ସମୟରେ ହାତୀଙ୍କ ବ୍ୟବହାର ନେଇ ଇତିହାସରେ ଉଲ୍ଲେଖ ରହିଛି। ଓଡ଼ିଶାକୁ ଏକଦା ହାତୀଙ୍କ ଅନ୍ତୁଡ଼ିଶାଳ ‌ବୋଲି କୁହାଯାଉଥିଲା। ତେବେ ସେହି ଅନ୍ତୁଡ଼ିଶାଳରେ ହାତୀ ଆଜି ଅସୁରକ୍ଷିତ। କିଛିଦିନ ବ୍ୟବଧାନରେ ରାଜ୍ୟର କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି। ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାର ସମେତ ଦ୍ରୁତ ସହରୀକରଣ ଯୋଗୁଁ ହାତୀଙ୍କ ଜୀବନ ପ୍ରତି ପଦପାତରେ ବିପଦ ସୃଷ୍ଟି ହେଉଛି। ସେମାନଙ୍କ ବାସସ୍ଥାନ ତଥା ପାରମ୍ପାରିକ ଯାତାୟାତ ପଥ ଉପରେ ଏସବୁର ଘୋର ପ୍ରଭାବ ପଡ଼ିଛି। ପରିମାଣ ସ୍ବରୂପ ଗତ ୧୧ ବର୍ଷ ୪ ମାସରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ବାରା ମୃତ୍ୟୁମୁଖରେ ପଡ଼ିଛନ୍ତି। ଗତ ୨୦ ଦିନ ମଧ୍ୟରେ ରାଜ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଆହୁରି ଚିନ୍ତା ବଢ଼ାଇ ଦେଇଛି। ଏକ ଦଶନ୍ଧିରେ ଓଡ଼ିଶାରେ ହାତୀଙ୍କ ସ୍ଥିତି ଏଭଳି ହୋଇଥିଲେ ମଧ୍ୟ କାହାର ନିଘା ନାହିଁ।

୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ ମଧ୍ୟ ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି। ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ ହାତୀଙ୍କ ଉପସ୍ଥିତି ଥିବା ବେଳେ ୧୯୭୬ଟି ହାତୀ ଚିହ୍ନଟ ହୋଇଥିଲେ।