ମମତା ବାନାର୍ଜୀ ଦୁନିଆକୁ ଦେବେ ଶାନ୍ତି ସନ୍ଦେଶ : ରୋମରୁ ଆସିଛି ଆମନ୍ତ୍ରଣ

କୋଲକାତା,୧୨/୮: ଚଳିତ ବର୍ଷ ଅକ୍ଟୋବରରେ ରୋମରେ ଆୟୋଜିତ ହେଉଛି ଅନ୍ତରାଷ୍ଟ୍ରୀୟ ଶାନ୍ତି ସମ୍ମିଳନୀ । ଏଥିରେ ଯୋଗ ଦେବାକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆମନ୍ତ୍ରିତ କରାଯାଇଛି। ଅକ୍ଟୋବର ୬ ଓ ୭ରେ ସମ୍ଭାବିତ ଏହି ସମ୍ମିଳନୀରେ ପୋପ୍ ଫ୍ରାନ୍ସିସ୍ ଓ ଜର୍ମାନ ଚାନସେଲର ଏଞ୍ଜେଲା ମାର୍କେଲ୍‌ଙ୍କ ପରି ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ। ମମତା ବାନାର୍ଜୀଙ୍କୁ ଦୁନିଆକୁ ଶାନ୍ତି ସନ୍ଦେଶ ଦେବା ପାଇଁ ଏମିତି ସମୟରେ ଆମନ୍ତ୍ରିତ କରାଯାଇଛି, ଯେଉଁ ସମୟରେ ତାଙ୍କ ସରକାର ଉପରେ ରାଜନୈତିକ ସିଂସାର ଅଭିଯୋଗ ଲାଗିଛି ।

‘ପିପୁଲ୍ସ ଏଜ୍ ବ୍ରଦର୍ସ, ଫ୍ୟୁଚର ଅର୍ଥ’ ଶୀର୍ଷକରେ ନାମିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ରୋମ୍‌ର କ୍ୟାଥୋଲିକ ଆସୋସିଏସନ ସେଣ୍ଟ ଇଗିଡିଓ ସମୁଦାୟର ମୁଖ୍ୟ ମାକ୍ରୋ ଇମପାଗଲିଓଜୋ ଆମନ୍ତ୍ରଣ ଦେଇଛନ୍ତି। ଆମନ୍ତ୍ରଣରେ ତୃଣମୂଳ କଂଗ୍ରେସର ମୁଖ୍ୟଙ୍କୁ ନିକଟରେ ସଂପନ୍ନ ବିଧାନସଭା ବିଜୟର ଶୁଭେଚ୍ଛା ଜଣାଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମମତା ବାନାର୍ଜୀ ସାମାଜିକ ନ୍ୟାୟ ପାଇଁ ମହତ୍ଵପୂର୍ଣ୍ଣ କାମ କରିଛନ୍ତି। ଏକ ଦଶନ୍ଧିରୁ ସେ ଶାନ୍ତି ପାଇଁ କାମ କରୁଥିବା ଆମନ୍ତ୍ରଣ ପତ୍ରରେ କୁହାଯାଇଛି।