ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଆଳି ଓ ରାଜକନିକା ବାସୀଙ୍କ ଦୃଢ଼ ବିରୋଧ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ବ୍ଲକର ମଧ୍ୟମ ସ୍ଥଳୀରେ ଅବସ୍ଥିତ ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ୮ ଶହ ୯୨ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ଅଂଚଳ ଲୋକେ ବିରୋଧ କରି ଆଜି ପୋଲିସ ଓ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି l ଘଟଣା ସ୍ଥଳରୁ ଶତାଧିକ ଖରସ୍ରୋତା ସଂଗ୍ରାମ ସମିତିର ମହିଳା ଓ ପୁରୁଷଙ୍କୁ ଉଠାଇନେଲା ପୋଲିସ । ଭାରିଗଦା , ବାଳକାଟି ଓ ବରୁଣା ଡିହା ଅଞ୍ଚଳରେ ଜିଲ୍ଲାପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ୧୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । କିନ୍ତୁ ସଂଗ୍ରାମ ସମିତିର ଲୋକେ ପ୍ରଶାସନର କଟକଣାକୁ ଭ୍ରୂକ୍ଷେପ ନ କରି ସଂଗ୍ରାମ ଜାରି ରଖିଇଥିବାର ନଜିର ରହିଛି l ଦୀର୍ଘ ଦୁଇ ବର୍ଷ ହେବ ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ଘନଊଛି l ଯାହାକି କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଉଭୟ ଜିଲ୍ଲା ଭିତରେ ଦିନକୁ ଦିନ ବିବାଦ ବୃଦ୍ଧି ପାଉଛି ।

ବୁଧବାର ମଧ୍ୟରାତ୍ରିରୁ ହଠାତ ୧୪୪ ଧlରା ଲାଗିବାରୁ କେନ୍ଦ୍ରାପଡ଼ା ପୋଲିସ୍ ସଂପୂର୍ଣ୍ଣ ଭାବେ ସେହି ଅଞ୍ଚଳକୁ ନାକାବନ୍ଦୀ କରି ଦେଇଛି । ଯାହାକୁ ନେଇ ରାଜକନିକା ଅଞ୍ଚଳର ଲୋକେ ଓ ଦୁଇ ପୂର୍ବତନ ବିଧାୟକ ରାସ୍ତାରୋକ କରିଥିଲେ । ଦୁଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଦୋଳଗୋବିନ୍ଦ ନାୟକଙ୍କ ସମେତ ୧୫ ଜଣଙ୍କୁ ପୋଲିସ ଗିରଫ କରିଥିବାର ଜଣାପଡିଛି । ପ୍ରଶାସନ ଉପରେ ଖପ୍ପା ହୋଇଥିବା ଲୋକେ କଟକଣାକୁ ଖାତର ନକରି ପୋଲିସ ସମ୍ମୁଖରେ ନିର୍ମାଣ ସ୍ଥଳୀକୁ ଯାଇ ନିର୍ମାଣକାରୀ ସଂସ୍ଥାର ବିଭିନ୍ନ ସରଞ୍ଜାମ ଭଙ୍ଗାରୁଜା କରିଛନ୍ତି l ନିର୍ମାଣ ସ୍ଥଳୀରେ ପ୍ରକଳ୍ପ ବିରୋଧୀ ନାରାବାଜି ଦେଇଥିଲେ l ଜନତାଙ୍କ ଦାବିକୁ ଜିଲ୍ଲା ପ୍ରଶାସନର ଅଣଦେଖା ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା ନେଇ ସଂଗ୍ରାମ ସମିତିର ଲୋକେ କୁହନ୍ତି l ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଜନତାଙ୍କ ପ୍ରତିବାଦ ଫଳରେ ମେଗା ପାନୀୟ ଜଳ ପ୍ରକଳ୍ପ ହଟୁଛି ନା ପ୍ରଶାସନିକ ସହଯୋଗରେ ନିର୍ମାଣ କାର୍ଯ୍ୟ ତ୍ୱରିତ ହେଉଛି l