ନବରଙ୍ଗପୁର,୧୪/୮ : ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବେ। ଏଭଳି ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେବଳ ନବରଙ୍ଗପୁର ନୁହେଁ, ସମଗ୍ର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମାତ୍ର, ଏହିଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପୂର୍ବତନ ସାଂସଦ ଶ୍ରୀମାଝୀ ।
ଶ୍ରୀ ମାଝୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅପପ୍ରଚାରକୁ ଖଣ୍ଡନ କରିଛନ୍ତି। କଂଗ୍ରେସ ଛାଡ଼ିବାର କୌଣସି ପ୍ରଶ୍ନ ଉଠୁନି ବୋଲି ଶ୍ରୀ ମାଝୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସରେ ଅଛନ୍ତି, ଦଳ ପାଇଁ କାମ କରୁଛନ୍ତି ଏବଂ ଆଗାମୀଦିନରେ ମଧ୍ୟ କାମକରିବେ ବୋଲି କହିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ଭାବେ କଂଗ୍ରେସ ଦଳ ସହିତ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଏଭଳି ଗୁଜବ ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିବା ସହ ଏହାକୁ ଦୃଢ଼ ନିନ୍ଦା କହିଛନ୍ତି।