୪୬ ଆଫଗାନ ବିମାନଙ୍କୁ ଜୋରଜବରଦସ୍ତ ଓହ୍ଲାଇଦେଲା ଉଜବେକିସ୍ତାନ ଏୟାରଫୋର୍ସ

ଟର୍ମେଜ୍‌, ୧୭/୮: ଉଜବେକିସ୍ତାନ ଏୟାରଫୋର୍ସ ୪୬ଟି ଆଫଗାନ ବିମାନକୁ ଜୋରଜବରଦସ୍ତ ଅବତରଣ କରାଇଛି। ପ୍ରସିକ୍ୟୁଟର ଜେନେରାଲଙ୍କ ପ୍ରେସ୍‌ ସୂଚନା କାର୍ଯ୍ୟାଳୟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ମୁଖପାତ୍ର ଖୟେତ୍ ଶାମସୁତଦିନୋଭଙ୍କ ସୂଚନା ଅନୁସାରେ ଏହି ସବୁ ବିମାନଙ୍କୁ ଟର୍ମେଜ୍‌ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଛି। ଯେଉଁଥିରୁ ୫୮୫ ଜଣ ସଶସ୍ତ୍ର ଆଫଗାନ ସୈନିକ ଗିରଫ ହୋଇଛନ୍ତି। ଏମାନେ ଅବୈଧ ଭାବେ ଉଜବେକିସ୍ତାନ ବାୟୁସୀମା ପାର କରିବା ଉଦ୍ୟମରେ ଗିରଫ ହୋଇଛନ୍ତି।

ସୂଚନା ଅନୁସାରେ ବାୟୁସୀମା ଉଲ୍ଲଂଘନକାରୀଙ୍କୁ ଅବତରଣ ଲାଗି ବାଧ୍ୟ କରିବା ନିମନ୍ତେ ହୋଇଥିବା ଉଦ୍ୟମରେ ଉଜବେକିସ୍ତାନର ଏକ ମିଗ୍‌-୨୯ ଯୁଦ୍ଧବିମାନ ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଛି। ଆଫଗାନିସ୍ତାନର ଏମ୍ବ୍ରୟର-୩୧୪ ବିମାନ ସହ ଧକ୍କା ଲାଗିବା ଯୋଗୁ ମିଗ୍‌ଟି ଆକାଶରେ ଜଳି ଯାଇଯାଇଥିଲା। ତେବେ ପାଇଲଟ ସୁରକ୍ଷିତ ବିମାନରୁ ବାହାରି ଯାଇଛନ୍ତି। ସେପଟେ ଟର୍ମେଜ ଜିଲ୍ଲା ସୀମାରେ ଗତ ୨ ଦିନରେ ଉଜବେକିସ୍ତାନ ସୁରକ୍ଷା ବଳ ୧୫୮ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛନ୍ତି।

ତେବେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଯୁଦ୍ଧ ସମାପ୍ତ ହୋଇଥିବା ଘୋଷଣା କରିଛି। ହେଲେ ଆଫଗାନ ନାଗରିକମାନେ ଏବେ ଦେଶଛାଡି ପଳାୟନ କରିବାରେ ଲାଗିଛନ୍ତି। ଏଭଳି ପଳାୟନ ଅନେକ ସମୟ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଟୋଲୋ ନ୍ୟୁଜ ସୂଚନା ଅନୁସାରେ ରାଜଧାନୀ କାବୁଲରୁ ପଡୋଶୀ ତାଜିକସ୍ତାନ ଓ ଉଜବେକିସ୍ତାନ ଉଦ୍ଦେଶ୍ୟରେ ୪୦ରୁ ଅଧିକ ଯାତ୍ରୀବିମାନ ଉଡ଼ାଣ କରିଛନ୍ତି। ଏହି ସବୁ ବିମାନରେ ଅଧିକାଂଶ ଯାତ୍ରୀ ଆଫଗାନ ନାଗରିକ ଥିବା ବେଳେ ପ୍ରାୟ ଲୋକେ ବିମାନ ବନ୍ଦର ଓ ବିମାନ କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକେ ବୋଲି ଜଣାପଡିଛି। ତାଜିକସ୍ତାନରେ ଆଫଗାନିସ୍ତାନ ରାଜଦୂତ କାବୁଲରୁ ଆସିଥିବା ବିମାନଗୁଡିକୁ ସ୍ୱାଗତ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ତାଲିବାନମାନେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପ୍ରବେଶ କରିବା ପୂର୍ବରୁ ରାଷ୍ଟ୍ରପତି ଅଶରଫ ଗନି ଦେଶଛାଡି ପଳାୟନ କରିଛନ୍ତି।