ଜେଲରେ ବନ୍ଦୀ ଥିବା ୨୩୦୦ କୁଖ୍ୟାତ ଆତଙ୍କବାଦୀଙ୍କୁ ମୁକ୍ତ କରିଦେଲା ତାଲିବାନ

କାବୁଲ, ୧୭/୮ : ଆଫଗାନିସ୍ତାନରେ ସତ୍ତାକୁ ଆସିବା ପରେ ବଡ ନିଷ୍ପତ୍ତି ନେଇଛି ତାଲିବାନ । ଆଫଗାନିସ୍ତାନ ଜେଲରେ ବନ୍ଦିଥିବା ପ୍ରାୟ ୨୩୦୦ କୁଖ୍ୟାତ ଆତଙ୍କବାଦୀ ମୁକ୍ତ ହୋଇଯାଇଛନ୍ତି । ବଳପୂର୍ବକ କବ୍‌ଜା କରିବା ପରେ ଜେଲରୁ କୁଖ୍ୟାତ ଆତଙ୍କବାଦୀମାନଙ୍କୁ ଛାଡିଦେଇଛି ତାଲିବାନ । ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି ସଂଗଠନ ଡେପୁଟି ଚିଫ୍‌ ଫକୀର ମହମ୍ମଦ ମଧ୍ୟ ରହିଛି । ଜେଲରୁ ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ତେହରିକ-ଏ-ତାଲିବାନ, ଅଲ କାଏଦା ଏବଂ ଆଇଏସ୍‌ଆଇଏସ୍‌ର କୁଖ୍ୟାତ ଆତଙ୍କବାଦୀମାନେ ରହିଛନ୍ତି ।ଏମାନେ ସମସ୍ତେ ଆଫଗାନିସ୍ତାନର ବିଭିନ୍ନ ଜେଲରେ ବନ୍ଦି ହୋଇଥିଲେ ।

ସୂଚନା ଅନୁସାରେ, ଏମାନଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ଗତ ସପ୍ତାହରେ ହିଁ ମୁକ୍ତ ହୋଇଯାଇଥିଲେ । ଏମାନେ ସମସ୍ତେ କାନ୍ଦାହାର, ବଗରାମ୍‌ ଏବଂ କାବୁଲ ଜେଲରେ ବନ୍ଦିଥିଲେ । ଏମାନଙ୍କ ମଧ୍ୟରେ କୁଖ୍ୟାତ ତଥା ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ହେଉଛି ଟିଟିପି ଡେପୁଟି ଚିଫ୍‌ ଫକୀର ମହମ୍ମଦ । ସେ ଜେଲରୁ ମୁକ୍ତ ହେବା ଅର୍ଥ ପାକିସ୍ତାନ ଏବଂ ଆଫଗାନିସ୍ତାନ ପାଇଁ ସତର୍କ ଘଣ୍ଟି ଏବଂ ଘୋର ବିପଦ ଛିଡା କରିବ । ଭାରତ ପାଇଁ ମଧ୍ୟ ବିପଦ ରହିଥିବା ଜଣାପଡିଛି ।

ଆଉ ଏକ ଚିନ୍ତାଜନକ ଖବର ହେଉଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଲସ୍କର-ଏ-ଝାଙ୍ଗଓ୍ବୀ ମଧ୍ୟ ଆଫଗାନିସ୍ତାନରେ ନିଜର ପତିଆରା ରଖିଛନ୍ତି । ଏମାନେ ସମସ୍ତେ ତାଲିବାନ ସହ ମିଶି କାମ କରୁଛନ୍ତି । ଆଫଗାନିସ୍ତାନରେ ୧୯୯୬ ମସିହାରୁ ୨୦୦୧ ଯାଏଁ ତାଲିବାନୀ ଶାସନ ଚାଲିଥିଲା । ତେବେ ୨୦୦୧ ମସିହା ଡିସେମ୍ବର ୧୧ ତାରିଖରେ ଆମେରିକାର ବାଣିଜ୍ୟ ଭବନ ଉପରେ ଆକ୍ରମଣ ହେବାପରେ ଆମେରିକା ସୈନ୍ୟ ବାହିନୀ ଆଫଗାନିସ୍ତାନ ଆସିଥିଲେ । ସେବେଠାରୁ ଆଫଗାନିସ୍ତାନରୁ ତାଲିବାନମାନେ ଛତ୍ରଭଙ୍ଗ ଦେଇଥିଲେ ଏବଂ ସେଠାରେ ସରକାର ଗଠନ ହୋଇଥିଲା ।