ଭୁବନେଶ୍ୱର,୧୯/୮: (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ୱର ସ୍ମାର୍ଟ ସିଟିର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ଭାବେ ଜଣାଶୁଣା ଖାରବେଳ ନଗର ଥାନାର ଟେଲିଫୋନ ଦୀର୍ଘ ଦିନ ଧରି ଅଚଳ ହୋଇ ରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ରାଜଧାନୀର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଥାନା ଅଞ୍ଚଳ ଏକ ସମ୍ବେଦନଶୀଳ ଇଲାକା ହୋଇଥିଲେ ହେଁ ସମ୍ପୃକ୍ତ ଥାନାର ଟେଲିଫୋନ ନଂ 06742534272 ମାସ ମାସ ଧରି ଅଚଳ ହୋଇ ରହିବା କାରଣରୁ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କ୍ଷେତ୍ରରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜନସାଧାରଣଙ୍କୁ ଜରୁରୀକାଳୀନ ପୋଲିସ ସେବା ଯୋଗାଣ କ୍ଷେତ୍ରରେ ସମ୍ପୃକ୍ତ ଥାନା ଟେଲିଫୋନର ବିଶେଷ ଭୂମିକା ରହିଛି l ତେବେ ଇତିମଧ୍ୟରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ସମ୍ପୃକ୍ତ ଥାନା କର୍ତୃପକ୍ଷ କେତେଦୂର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ଜାଣିବାକୁ ଖାରବେଳ ଥାନାର ଇନ୍ସପେକ୍ଟର ଅରୁଣ କୁମାର ସ୍ୱାଇଁଙ୍କ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା l
ତେବେ ଇନ୍ସପେକ୍ଟରଙ୍କ ସିୟୁଜି ନମ୍ବର ସହ ଯୋଗାଯୋଗ କରିବାରୁ ଥାନାର ଉକ୍ତ ଟେଲିଫୋନ ମାସାଧିକ କାଳ ଅଚଳ ହୋଇ ରହିଥିବା ଜଣେ ଅଧିକାରୀ କହିଥିବା ବେଳେ ଅନ୍ୟଜଣେ ଅଧିକାରୀ ତାହା କେବେଠୁ ଅଚଳ ହୋଇ ରହିଛି ସେନେଇ କିଛି କହିପାରିବେନି ବୋଲି କହିଥିଲେ l ଏଠାରେ ପ୍ରକାଶଯୋଗ୍ୟଯେ ଏହି ଥାନା ଅଂଚଳରେ ନିୟମିତ ଚୋରୀ,ସିନ୍ଧିଚୋରି, ଲୁଟ,ରାହାଜାନୀ,ମାରପିଟ,ଗଣ୍ଡଗୋଳ,ଚୋରା ନିଶା କାରବାର,ଠକେଇ,ଗୋ ଷ୍ଠୀ ସଂଘର୍ଷ ଓ ଅନ୍ୟାନ୍ୟ ଅପରାଧିକ ଘଟଣାମାନ ଘଟୁଥିବାର ବେଶ ନଜିର ରହିଛି l ହେଲେ ଏପରି ସ୍ଥିତିରେ ଜନସାଧାରଣଙ୍କ ଧନ ଓ ଜୀବନର ସୁରକ୍ଷା କ୍ଷେତ୍ରରେ କମିସନରେଟ ପୋଲିସ ଅଧିନସ୍ଥ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାର ଏହି ଥାନାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ପରିଗଣିତ ହେଉଥିବା ଟେଲିଫୋନକୁ ଜନସ୍ୱାର୍ଥଦୃଷ୍ଟିରୁ ତ୍ୱରିତ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜଣେ ସମାଜସେବୀ ବିଏସଏନଏଲରେ ଗୁରୁବାର ଅଭିଯୋଗ କରିଥିବା ଜଣାପଡିଛି l