ଆଳି, ୨୦/୮: କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ ଦାବିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଆନ୍ଦୋଳନକୁ ସମର୍ଥନ କରି ଯୁବ କଂଗ୍ରେସ ପକ୍ଷରୁ ୨ଘଣ୍ଟିଆ ରାସ୍ତା ରୋକ କରାଯାଇଥିଲା । କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ଉପରେ ଶତାଧିକ ଯୁବ କଂଗ୍ରେସର କର୍ମୀମାନେ ରାସ୍ତା ରୋକରେ ବସିଥିଲେ ।
ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସହ ସହ ଗାଡି ମଟର ଅଟକି ରହିଥିଲା । ଗତ କିଛି ଦିନ ତଳେ ରାଜକନିକାର ଭାରିଗଦାରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗିରହିଛି ।