‘ସ୍ମାର୍ଟ ସ୍କୁଲ ରୂପାନ୍ତରଣ’ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୨୧/୮: ଗଂଜାମ ଜିଲ୍ଲା ହିଞ୍ଜିଳିରୁ ଶୁଭାରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍ମାର୍ଟ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ହିଞ୍ଜିଳିର ୫୦ଟି ସ୍ମାର୍ଟ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ।

କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ବପ୍ନ ଓ ଏହି ସ୍ବପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ବପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ।୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତରଣ ହେଉଛି, ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ । ୫-ଟିର ପଞ୍ଚ ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକନୋଲୋଜି, ଟିମ୍‌ ଓ୍ବାର୍କ, ଟାଇମ୍, ଟ୍ରାନପାରିନ୍ସି ଓ ଟ୍ରାନ୍ସଫର୍ମେଶନ୍ ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି । ଟେକନଲୋଜି ଆମକୁ ସ୍ମାର୍ଟ କ୍ଲାସ୍‌ ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଓ ମର୍ଡନ ଲାବୋରଟୋରୀର ସୁବିଧା ଦେଇଥିବା ବେଳେ, ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି ଟିମ୍‌ ଓ୍ବାର୍କ। ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିପାଇଁ ମିଶି କାମ କରିଛନ୍ତି।