ମହାକାଳପଡ଼ା,୨୧ /୮: କେନ୍ଦ୍ରାପଡା ଜିଲ୍ଲା ଉପକୂଳ ମହାକାଳପଡ଼ା ବ୍ଲକ ଉପାନ୍ତ ରାମନଗର ଅଂଚଳର ପ୍ରସିଦ୍ଧ ଠାକୁରାଣୀ ଦରିଆ ପାରି ମା ରାମଚଣ୍ଡୀଙ୍କ ମନ୍ଦିର ଠାରୁ ଅନତି ଦୂରରେ ଭକ୍ତ ଓ ଅତିଥିଙ୍କ ସ୍ୱଳ୍ପ କାଳୀନ ରହଣି ପାଇଁ ସରକାର ପାନ୍ଥଶାଳା ତୋଳାଇଥିଲେ l ଝାମୁଯାତ୍ରା, ଦୋଳପୁର୍ଣିମା, ବିଜୟା ଦଶମୀ ଆଦି ଜାନି ଯାତ୍ରା ସମୟରେ ପ୍ରସିଦ୍ଧ ଦେବୀଙ୍କ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ବିଶ୍ରାମ ନିମନ୍ତେ ନିର୍ମିତ ପାନ୍ଥଶାଳାରେ ବି ଶାନ୍ତି ଶୃଙ୍ଖଳା ନିମନ୍ତେ ଦାୟିତ୍ୱରେ ଥିବା ପୋଲିସ ଟିମ ବି ଆଶ୍ରୟ ନେଇଥାନ୍ତି l ରାମଚଣ୍ଡୀଙ୍କ ଭଳି ସ୍ଥାନୀୟ ଅଂଚଳର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ହୁକିଟୋଲl ଓ ବତୀଘର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ପାଇଁ ବିଶେଷ ଫଳପ୍ରଦ ହେଉଥିଲା l

କିନ୍ତୁ ସରକାରୀ ଅର୍ଥରେ ନିର୍ମିତ ବହୁ ଦିନ ତଳୁ ନିର୍ମିତ ପାନ୍ଥ ଶାଳାଟି ରକ୍ଷଣାବେକ୍ଷଣା ଅଭାବରୁ ଜରାଜୀର୍ଣ୍ଣ ପାଲଟିଗଲାଣି l ଏପରିକି ଘର ଗୁଡିକର ଝରକା କବାଟ ଆଦି ଅନେକ ଅଂଶରେ ନଷ୍ଟ ହୋଇଗଲାଣି l ଆହୁରି ମଧ୍ୟ ମରାମତି ଅଭାବରୁ ଘରର ଚଟାଣ ଓ କାନ୍ଥ ରୁ ସିମେଣ୍ଟ ଓ ଇଟା ଖସିବାକୁ ଲାଗିଲାଣି l ସେତେବେଳର ଦୁରଦୃଷ୍ଟି ସଂପର୍ଣ୍ଣ ପ୍ରଶାସନ ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ହିତାର୍ଥେ ନିର୍ମାଣ କରିଥିବା ପାନ୍ଥଶାଳାଟି ବର୍ତ୍ତମାନ ପ୍ରଶାସନର ଅବହେଳାରୁ ପୂର୍ଣ୍ଣ ଭାବେ ନଷ୍ଟ ହେବାକୁ ଯାଉଛି l ସରକାରୀ ସମ୍ପତ୍ତିର ସୁରକ୍ଷା ଓ ଯାତ୍ରୀ ମାନଙ୍କ ସୁବିଧାକୁ ଆଖି ଆଗରେ ରଖି ମା, ରାମଚଣ୍ଡୀ ଆଞ୍ଚଳିକ ସେନା ଚିନ୍ତା ପ୍ରକଟ କରିଛି l ଏନେଇ ଶନିବାର ଦିନ ଆଞ୍ଚଳିକ ସେନାର କର୍ମ କର୍ତ୍ତା ଲଷ୍ମୀଧର ସ୍ୱାଇଁ, ବିରଞ୍ଚି ନାରାୟଣ ଦାଶ ଓ ଅଶୋକ କୁମାର ସ୍ୱାଇଁ ମହାକାଳପଡ଼ା ବିଡ଼ିଓ ଦେବାଶିଷ ରାଉତ ଙ୍କୁ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଅବହେଳିତ ପାନ୍ଥଶାଳାର ପୁନରୁଦ୍ଧାର ପାଇଁ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି l କେବେ ପ୍ରଶାସନ ଆଞ୍ଚଳିକ ସେନାର ଯଥୋପଚିତ ଅଭିଯୋଗ କୁ ହୃଦୟଙ୍ଗମ କରି ଅବକ୍ଷୟ ମୁଖୀ ପାନ୍ଥଶାଳାର ପୁନଃରୁଦ୍ଧାର ପାଇଁ ଆଗେଇ ଆସିବ ଦେଖିବାକୁ ବାକି ରହିଲା l