ନୂଆଦିଲ୍ଲୀ, ୨୫/୮: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) ଦେଶବ୍ୟାପୀ ନିଜର ପାଇପ୍ଲାଇନ୍ ଉପରେ ନଜର ରଖିବାକୁ ଡ୍ରୋନ୍ର ବ୍ୟବହାର କରିବ। କମ୍ପାନୀ ନିଜ ପାଇପା୍ଲାଇନ୍ରେ ହେଉଥିବା ତେଲ ଚୋରିକୁ ରୋକିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ଦୁଇ ଗଣ କରିଛି। ଏହା ଦ୍ବାରା କେବଳ ତେଲ ଚୋରି ନୁହେଁ ବରଂ କୌଣସି ପ୍ରକାର ଦୁର୍ଘଟଣାରୁ ରକ୍ଷା ମିଳିପାରିବ ।
ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ କମ୍ପାନୀ ପ୍ରଥମରୁ ୧୫ ହଜାର କି.ମି. ଦୀର୍ଘ ପାଇପଲାଇନ୍ ନେଟଓ୍ବାର୍କ ଉପରେ ନଜର ରଖିବାକୁ ବିଶେଷ ପ୍ରକାର ବ୍ୟବସ୍ଥା କରିଥିଲା। କିନ୍ତୁ ଏବେ ଏହି ପାଇପଲାଇନ୍ ଉପରେ ଡ୍ରୋନ୍ ନଜର ରଖିବ ବୋଲି ଜଣାପଡ଼ିଛି। ଟେକନୋଲୋଜି ମାଧ୍ୟମରେ ୨୦୨୦-୨୧ରେ ୩୪ ଟି ତେଲ ଚୋରି ମାମଲାରେ କମ୍ପାନୀକୁ ସଫଳତା ମିଳିଥିବା ନେଇ ଅଧିକାରୀ କହିଛନ୍ତି। ଏହା ସହ ୫୩ ଜଣଙ୍କୁ ଗିରଫ କରାଯାଇଛି। ୧୭ ଅଗଷ୍ଟରେ ସୋନିପତ, ହରିୟାଣାରେ ତାଜା ଘଟଣା ସାମ୍ନାକୁ ଆସିଥିଲା।
ପାଇପଲାଇନ୍ରୁ ଚୋରି ଧ୍ରତବ୍ୟ ଅପରାଧ । ଧରାପଡ଼ିଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଦେବାର ନିୟମ ଥିବା ଆଇଓସି ଅଧିକାରୀ କହିଛନ୍ତି। ନିକଟରେ ଆଇଓସି ପକ୍ଷରୁ ମଥୁରା-ଜଳନ୍ଧର ପାଇପଲାଇନ୍ର ୧୨୦ କିଲୋମିଟର ଦିଲ୍ଲୀ-ପାନୀପତ ଲାଇନ୍କୁ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇଛି ।
ଏହି ପାଇପଲାଇନ୍ ଜରିଆରେ ଅଧିକ ଜ୍ବଳନଶୀଳ ପେଟ୍ରୋଲିୟମ ଉତ୍ପାଦ ଉଚ୍ଚ ତାପ ଏବଂ ଚାପରେ ପ୍ରଭାହିତ ହେଉଛି। କୌଣସି ପ୍ରକାର ଚୋରି କରିବାର ପ୍ରୟାସ କୌଣସି ଏକ ବଡ଼ ଦୁର୍ଘଟଣା ଘଟାଇପାରେ। ତେଣୁ ଡ୍ରୋନ୍ ମୁତୟନ କରାଯାଉଥିବା ବେଳେ କମ୍ପାନୀ ପକ୍ଷରୁ ଲିକେଜ୍ ଜାଣିବା ପ୍ରଣାଳୀର ବ୍ୟବହାର କରାଯାଇଥିବା ଅଧିକାରୀ କହିଛନ୍ତି।