ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୨୫ /୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି ଯେ ଆଖୁ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ ଅଗଷ୍ଟରେ ଆଖୁର କ୍ୱିଣ୍ଟାଲ ପିଛା ମୂଲ୍ୟ ୨୮୫ରୁ ୫ଟଙ୍କା ବୃଦ୍ଧି ହୋଇଛି। କୃଷି ଆଇନକୁ ବିରୋଧ କରି ବିକ୍ଷୋଭ ଜାରି ରହିଥିବା ବେଳେ ଏବଂ ପଞ୍ଜାବରେ ଆଖୁ ଚାଷୀମାନେ ଦର ବୃଦ୍ଧି ନେଇ ଦାବି କରୁଥିବା ବେଳେ ଏହି ଘୋଷଣା କରାଯାଇଛି। ବିରୋଧୀ ଚାଷୀଙ୍କ ସହ ଆଲୋଚନା ପରେ ପଞ୍ଜାବ ସରକାର ରାଜ୍ୟରେ ଆଖୁ ଦର କ୍ୱିଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି କରିବା ପରେ ଏହାର ଦର ୩୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ନିଷ୍ପତ୍ତିକୁ କୃଷକମାନେ ଗ୍ରହଣ କରିଛନ୍ତି।

ବୁଧବାର ସକାଳେ କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଆଖୁ ଦର ବୃଦ୍ଧି ନକରିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦା କରିଛନ୍ତି। ଏହାର ଜବାବରେ ଶ୍ରୀ ଗୋୟଲ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ଦୃଢ ପଦକ୍ଷେପ ନେଇଛନ୍ତି। ପଞ୍ଜାବ ସରକାରଙ୍କ ନିଷ୍ପତ୍ତି ବିଷୟରେ ପଚରାଯିବାରୁ ସେ ଏହା ଏକ ରାଜ୍ୟ ପ୍ରସଙ୍ଗ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବୃଦ୍ଧି ଚିନି ମୂଲ୍ୟ ଉପରେ ପ୍ରଭାବ ପକାଇବ ନାହିଁ। ତେବେ ୫ କୋଟି କୃଷକ ଏହି ନିଷ୍ପତ୍ତି ଦ୍ୱାରା ଲାଭବାନ ହେବେ ବୋଲି ସେ କହିଛନ୍ତି।