ଫସଲ କ୍ଷତି ସହି ନପାରି ରାଜନଗର ଚାଷୀ ବ୍ଲକ ଅଫିସ କ୍ୟାମ୍ପସରେ ପୁରାଇ ଦେଲେ ଷଣ୍ଢ

କେନ୍ଦ୍ରାପଡା,୨୬/୮: କେନ୍ଦ୍ରାପଡା ଜିଲ୍ଲା ରାଜ ନଗର ବ୍ଲକର ସଦର ମହକୁମାରେ ଦିନକୁ ଦିନ ବୁଲା ଷଣ୍ଢଙ୍କ ଉପଦ୍ରଵ ବୃଦ୍ଧି ପାଉଛି l ଏପରିକି ବହୁ ସଂଖ୍ୟକ ବୁଲା ଷଣ୍ଢ ଚାଷ ଜମିରେ ପଶି ଫସଲ ଖାଇବା ସହିତ ଚକଡି ମନ୍ଥି ପକାଉଛନ୍ତି l ଏନେଇ ଚାଷୀମାନଙ୍କ ତରଫରୁ ଏକାଧିକ ବାର ପ୍ରଶାସନକୁ ଅଭିଯୋଗ କଲାପରେବି ପ୍ରଶାସନ ପଦକ୍ଷେପ ନେଉନାହିଁ l ଯାହାନେଇ ବିଗତ ବର୍ଷ ବ୍ଲକ କ୍ୟାମ୍ପସରେ ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ଲକ ପରିଦର୍ଶନରେ ଯାଇ ଉପସ୍ଥିତ ଥିବା ବେଳେ ଚାଷୀମାନେ କିଛି ଷଣ୍ଢ ବାଡେଇ ପୁରାଇ ଦେଇଥିଲେ l ଯାହାଫଳରେ କିଛି ସମୟ ପାଇଁ ବ୍ଲକ କ୍ୟାମ୍ପସରେ ହଟଚମଟ ସୃଷ୍ଟି ହୋଇଥିଲା l ଯାହା ନେଇ ଜିଲ୍ଲପାଳ ଖୁବଦ ହୋଇ ସ୍ୱଳ୍ପ ସମୟରେ ବ୍ଲକ ପରିତ୍ୟାଗ କରିଥିଲେ l ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବି ପ୍ରଶାସନ ଷଣ୍ଢଙ୍କ ଦାଉରୁ ଚlଷୀଙ୍କ ଫସଲ ସୁରକ୍ଷା ଦିଗରେ କୌଣସି ସ୍ଥାୟୀ ପଦକ୍ଷେପ ନେଇନାହାଁନ୍ତି l ଯାହା ନେଇ ଉତ୍ତ୍ୟକ୍ତ ଚାଷୀ ପୁନର୍ବାର ବହୁ ସଂଖ୍ୟକ ଛୋଟ ବଡ଼ ବୁଲା ଷଣ୍ଢଙ୍କୁ ବ୍ଲକ କ୍ୟାମ୍ପସରେ ପୁରାଇ ଦେଇଥିଲେ l ଏଭଳି ଘଟଣା ଦ୍ୱିତୀୟ ବାର ବ୍ଲକ କ୍ୟାମ୍ପସରେ ଘଟିବାରୁ ସାଧାରଣ ଲୋକେ ବ୍ଲକ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l କିଛି ସମୟ ପାଇଁ ବ୍ଲକ କାର୍ଯ୍ୟାଳୟର କାର୍ଯ୍ୟ ଠପ ହୋଇଯାଇଥିଲା l ଆଗାମୀ ଦିନରେ ପ୍ରଶାସନ ଯଦି କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ତେବେ ଚାଷୀ ବ୍ଲକ କ୍ୟାମ୍ପସରେ ଷଣ୍ଢ ପୁରାଇ ତାଲା ପକାଇ ଦେବେ ବୋଲି ଚେତାବନୀ ଦେଇଥିବାର ଜଣାପଡିଛି l ଚଳିତ ବର୍ଷ ମରୁଡି ପାଳକରେ ବହୁ ଖର୍ଚ୍ଚାନ୍ତ ହୋଇ ପାଣି ମଡ଼ାଇ ଚାଷ କରିଛନ୍ତି l ବିଗତ ବର୍ଷ ତୁଳନାରେ ଚଳିତ ବର୍ଷରେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇଛି l ଯଦି ଏଭଳି ଷଣ୍ଢଙ୍କ ଉପଦ୍ରଵ ଲାଗି ରହେ ତେବେ ଖର୍ଚ୍ଚ ଅନୁପାତରେ ଫସଲ ଅମଳରେ ଯଥେଷ୍ଟ ତାରତମ୍ୟ ରହିବ ବୋଲି ଚାଷୀ କୁହନ୍ତି l ଏଭଳି ପରିସ୍ଥିତି ରେ ଫସଲ ସୁରକ୍ଷା ଦିଗରେ ପ୍ରଶାସନ ଚିନ୍ତା ପ୍ରକଟ କରିବାକୁ ସଦର ରାଜନଗର ଚାଷୀ ପ୍ରଶାସନକୁ ସୂଚାଇଦେଇଛନ୍ତି l