ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ୫୦% ସଂରକ୍ଷଣ ରହିବ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର,୨୬/୮ : ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଲେଣି । ଏଥର ନିର୍ବାଚନରେ ୫୦% ସଂରକ୍ଷଣ ରହିବ । ଓବିସି ସଂରକ୍ଷଣକୁ ନେଇ କେନ୍ଦ୍ର ନିକଟରେ ବିଜେଡି ଦାବି କରିଥିଲା । ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଉନାହାଁନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଛୁଆବର୍ଗଙ୍କ ସଂରକ୍ଷଣ ନେଇ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି। ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ର କିଛି ନିଷ୍ପତ୍ତି ନେଉନି । କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା ନକଲେ ବି ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ଦେଇ ବିଜେଡି ନିର୍ବାଚନ ଲଢିବ । ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ। ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ।