ଭୁବନେଶ୍ୱର,୨୬/୮: ଆଜିଠାରୁ ପର୍ଯ୍ୟଟକମାନଙ୍କ ଲାଗି ଧଉଳି ଶାନ୍ତିସ୍ତୁପ ଖୋଲିଛି । ପ୍ରଥମ ଦିନରେ ୮୦୦ ପର୍ଯ୍ୟଟକ ଶାନ୍ତିସ୍ତୁପ ବୁଲିବାକୁ ଆସିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସଂଧ୍ୟା ସୁଦ୍ଧା ମୋଟ ୪ଟି ବସରେ ବାହାର ଅଞ୍ଚଳର ପର୍ଯ୍ୟଟକ ଆସିଥିବା ବେଳେ କାର ଓ ଅଟୋ ଓ ବାଇକ ଭଳି ଅନ୍ୟ ଛୋଟ ଗାଡ଼ିରେ ପର୍ଯ୍ୟଟକମାନେ ଆସିଥିଲେ। ଦୁଇଟି ସର୍ଟଲ ବସରେ ପର୍ଯ୍ୟଟକମାନଙ୍କୁ ଶାନ୍ତିସ୍ତୁପ ଉପରକୁ ନେବା ଆଣିବା କରିଥିଲା। ପର୍ଯ୍ୟଟକମାନଙ୍କ ଠାରୁ ମୋଟ ୧୦ ହଜାର ଟଙ୍କା ଫି ଆଦାୟ କରାଯାଇଥିବା ସୂଚନା ମିଳିଛି।
ଗତକାଲି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ପ୍ରଦର୍ଶନ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲେ ହେଁ ବର୍ଷା ଯୋଗୁଁ ଆଜି ଶେଷ ମୁହୂର୍ତ୍ତରେ ଦୁଇଟିଯାକ ସୋ’ ପ୍ରଦର୍ଶନ ବନ୍ଦ ରଖାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ସୂଚନା ଆଧାରରେ ସୋ’ ଦେଖିବାକୁ ଅପେକ୍ଷା କରିଥିବା କିଛି ପର୍ଯ୍ୟଟକ ଶେଷରେ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ।