ୱାସିଂଟନ୍,୨୯ /୮: ଚଳିତ ସପ୍ତାହାନ୍ତରେ ଆମେରିକୀୟ ଜନସ୍ଥାନାନ୍ତରଣ ଶେଷ ହେଉଥିବା ବେଳେ କାବୁଲ୍ ବିମାନ ବନ୍ଦରରେ ପୁନଶ୍ଚ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। କାବୁଲ୍ ବିମାନ ବନ୍ଦରରେ ଆତ୍ମଘାତୀ ବୋମା ବିସ୍ଫୋରଣ ସଙ୍ଗଠିତ କରାଇ ଅନେକ ଆଫଗାନବାସୀ ଓ ୧୩ଜଣ ଆମେରିକୀୟ ସୈନିକଙ୍କୁ ନିହତ କରିଥିବା ଇସ୍ଲାମୀୟ ଉଗ୍ରବାଦୀଙ୍କ ଉପରେ ବିମାନ ଆକ୍ରମଣ ଚାଲୁ ରଖିବା ପାଇଁ ମଧ୍ୟ ସେ ପ୍ରତିଜ୍ଞାବଦ୍ଧ ବୋଲି ଜଣାଇଛନ୍ତି।
ବାଇଡେନ୍ ଆହୁରି ମଧ୍ୟ କହିଛନ୍ତି, ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆମ କମାଣ୍ଡର୍ମାନେ ମୋତେ ସୂଚନା ଦେଇଛନ୍ତି। ତେଣୁ, ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଁ ସେମାନଙ୍କୁ ନିର୍ଦେଶ ଦେଇଛି। କାରଣ, ସେମାନେ ବିମାନ ବନ୍ଦରକୁ ନିରାପଦ ରଖିବା ସହ ଆମେରିକୀୟ ଏବଂ ତାଲିବାନ୍ ଶାସନରୁ ନିସ୍ତାର ପାଇବା ଲାଗି ବ୍ୟାକୁଳ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରାଇବାରେ ସହାୟକ ହେଉଛନ୍ତି।
ସମ୍ପ୍ରତି କାବୁଲ୍ ବିମାନ ବନ୍ଦରରେ ପ୍ରତ୍ୟାବର୍ତ୍ତନ ପ୍ରତୀକ୍ଷାରେ ଥିବା ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୪୦୦୦ରୁ କମ୍। ମଙ୍ଗଳବାର ଦିନ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ବାଇଡେନ୍ ଧାର୍ଯ୍ୟ କରିଥିବା ସମୟସୀମା ପୂର୍ବରୁ ସେମାନେ ଫେରି ଆସିଥିବେ ବୋଲି ପେଣ୍ଟାଗନ୍ କହିଛି।
ଶନିବାର ପ୍ରତ୍ୟୁଷରେ ‘ଇସ୍ଲାମିକ୍ ଷ୍ଟେଟ୍’ ଅନୁବନ୍ଧିତ ଆଫଗାନିସ୍ତାନ ଉଗ୍ରବାଦୀ ଶାଖାର ଦୁଇଜଣ ସଦସ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଡ୍ରୋନ୍ ଅଭିଯାନରେ ନିହତ ହୋଇଥିବା କଥା ପେଣ୍ଟାଗନ୍ କହିଛି ବୋଲି ଅବଗତ କରାଯିବା ପରେ ବାଇଡେନ୍ କହିଲେ, ଚରମପନ୍ଥୀମାନେ ଅଧିକ ମୃତ୍ୟୁ ଆଶା କରି ପାରନ୍ତି।
ଏକ ବିବୃତିରେ ବାଇଡେନ୍କହିଛନ୍ତି, ଏଇଟା ଶେଷ ଆକ୍ରମଣ ନୁହେଁ। ସେ ଘୃଣ୍ୟ ଆକ୍ରମଣରେ ଯେକୌଣସି ବ୍ୟକ୍ତି ଜଡ଼ିତ ଥାଆନ୍ତୁ ନା, କାହିଁକି, ତାଙ୍କୁ ଖୋଜି ବାହାର କରି ଶାସ୍ତି ଦେବୁ। ଉପରୋକ୍ତ ବିସ୍ଫୋରଣରେ ନିହତ ୧୩ ଆମେରିକୀୟ ସୈନିକଙ୍କ ସେମେତ କାବୁଲ୍ ବିମାନ ବନ୍ଦରରେ ହଜାର ହଜାର ଜନତାଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରୁଥିବା ଆମେରିକୀୟ ସୈନିକମାନଙ୍କ ସାହସିକତା ଏବଂ ନିଃସ୍ବାର୍ଥତା ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।