ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ: ଜଲେଶପଟ୍ଟା ଆଶ୍ରମରେ କଡ଼ା ସୁରକ୍ଷା

ଚକାପାଦ,୩୦/୮ : ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ । ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ‘ବଳିଦାନ ଦିବସ’ ପାଳନ କରାଯିବ। ଏଥିପାଇଁ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଜଲେଶପଟ୍ଟାସ୍ଥିତ ସଂସ୍କୃତ କନ୍ୟାଶ୍ରମ ଓ ଚକାପାଦଠାରେ ଥିବା ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମ ପରିସର ଚଳଚଞ୍ଚଳ ହୋଇଉଠିଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଜନ୍ମାଷ୍ଟମୀ ସହ ସ୍ବାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପଡ଼ୁଛି। ଏହାକୁ ଦୃଷ୍ଟିରେ ଜଲେଶପଟ୍ଟା ଆଶ୍ରମରେ ବ୍ୟାପକରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ ସମସ୍ତ ସାମଗ୍ରୀକୁ ସଫାସୁତରା ସହ ସାଜସଜ୍ଜା କରାଯାଇଛି। କୋଭିଡ୍ କଟକଣା ଅନୁସାରେ ସମସ୍ତ ରୀତିନୀତି ପାଳନ କରାଯିବ ବୋଲି ଆଶ୍ରମ ପକ୍ଷରୁ ସୂଚନା ମିଳିଛି। କାର୍ଯ୍ୟକ୍ରମରେ ସ୍ବାମୀ ଜୀବନାମୁକ୍ତାନନ୍ଦ ପୁରୀ ମହାରାଜଙ୍କ ସମେତ ସାଧୁସନ୍ଥ ଓ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ଏବଂ ଅନୁଗାମୀ ମାନେ ଯୋଗଦେବେ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଶ୍ରମ ଦେଇ ଯାଉଥିବା ଯାନବାହନ ଯାଞ୍ଚ ସହ ଆଶ୍ରମ ପରିସରକୁ ଯିବାଆସିବା କରୁଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୁରକ୍ଷା ତଦାରଖ ଦାୟିତ୍ବରେ ଦୁଇଜଣ ଡିଏସପି ରୢାଙ୍କ୍‌ ଅଫିସରଙ୍କୁ ନିୟୋଜିତ କରାଯାଇଛି। ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଓ ଆଶ୍ରମ କର୍ମକତ୍ତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ସୂଚନାଥାଉକି, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ରାତିରେ ଆତତାୟୀ ମାନେ ଆଶ୍ରମ ପରିସରରେ ପଶି ଅତି ନିର୍ମମ ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରିସାଥୀଙ୍କୁ ହତ୍ୟା କରିଥିଲେ। ସେହିଦିନ ଠାରୁ ଆଶ୍ରମ ପରିସରରେ ସ୍ବାମୀଜୀଙ୍କ ଅନୁଗାମୀ ମାନେ ବଳିଦାନ ଦିବସ ପାଳିତ କରିଆସୁଛନ୍ତି।