ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା,୧୦/୯: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଭବାନୀପୁର ବିଧାନସଭା ଆସନ ପାଇଁ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭବାନୀପୁର ଆସନ ହାତେଇବା ପାଇଁ ଟିଏମସି ମୁଖ୍ୟଙ୍କୁ ବିଜେପିର ପ୍ରିୟଙ୍କା ଟିବ୍ରେୱାଲ୍‌ ଏବଂ ବାମପନ୍ଥୀ ଦଳର ଶ୍ରୀଜୀବ ବିଶ୍ବାସଙ୍କ ସହ ଲଢ଼ିବାକୁ ପଡ଼ିବ।

ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୩ରେ ‌ଭୋଟ ଗଣତି ହେବ। ଏନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

ତେବେ ଦିଦିଙ୍କ ବିପକ୍ଷରେ ଲଢ଼ୁଥିବା ପ୍ରିୟଙ୍କା ଟିବ୍ରେୱାଲ୍‌ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କର ଆଇନଗତ ପରାମର୍ଶଦାତ୍ରୀ ଥିଲେ। ବାବୁଲ୍‌ ସୁପ୍ରିୟୋଙ୍କ ଅନୁରୋଧ କ୍ରମେ ୨୦୧୪ରେ ସେ ‘ବିଜେପି’ରେ ଯୋଗ ଦେଇଥିଲେ। ହେଲେ ଏପ୍ରିଲ୍‌-ମେ’ରେ ‌ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ।

ଉକ୍ତ ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ବ୍ୟାପକ ସଂଖ୍ୟଗରିଷ୍ଠତା ହାସଲ କରିବା ପରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ, ଉକ୍ତ ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ‘ବିଜେପି’ ପ୍ରାର୍ଥୀ ତଥା ନିଜର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେଣୁ, ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାକୁ ହେଲେ ତାଙ୍କୁ ଭବାନୀପୁର ଆସନ ଉପନିର୍ବାଚନରେ ଜିଣିବାକୁ ପଡ଼ିବ।