ସମ୍ବଲପୁର,୧୧/୯ : ଗଣପର୍ବ ‘ନୂଆଁଖାଇ’ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶାର ଗାଁ’ଠୁ ସହର। ଲଗାତାର ଦ୍ବିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ଏହି ଗଣପର୍ବ ପାଳନ ହେବାକୁ ଯାଉଛି। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଶନିବାର ପୂର୍ବାହ୍ନ ୧୦ଟା ୧୦ରୁ ୧୦ଟା ୨୫ ମଧ୍ୟରେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତ୍ଜନନୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବ। ସେହିପରି ପାଟଣାଗଡ଼ରେ ମା’ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ରେ ମା’ ସମଲେଶ୍ବରୀ, ସୁବର୍ଣ୍ଣପୁରରେ ମା’ ସୁରେଶ୍ବରୀଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହେବ। ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ। ଗାଁରୁ ସହର ସବୁ ସ୍ଥାନରେ ଅଧିଷ୍ଠିତ ଦେବାଦେବୀଙ୍କୁ ନବାନ୍ନ ଲାଗି ହେବ। ଏହାପରେ ପ୍ରତି ପରିବାରରେ ଇଷ୍ଟ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇ ନୂଆଁଖାଇ ପର୍ବ ଆରମ୍ଭ ହେବ। ପରିବାରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରେ ସମବେତ ହୋଇ ନବାନ୍ନ ଖାଇବେ।
ନୂଆଁଖାଇ ପାଇଁ ପୁରପଲ୍ଲୀରେ ଦୋକାନ, ବଜାରରେ ଭିଡ଼ ଲାଗି ରହିଛି। ପନିପରିବା, ଫଳମୂଳରୁ ନେଇ ବସ୍ତ୍ରାଳୟ ଗୁଡ଼ିକରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି। ତିନି ଚାରି ଦିନ ହେଲା ସହରର ମୁଖ୍ୟ ବଜାର ଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ରନ୍ଧାବଢ଼ା ଓ ଖିଆପିଆ ନୂଆଁଖାଇର ଏକ ପ୍ରମୁଖ ଅଂଶ ହୋଇଥିବାରୁ ୩ ଦିନ ହେଲା ପରିବା ଦର ଆକାଶ ଛୁଆଁ ହୋଇଛି। ଏହା ବ୍ୟତୀତ ନୂଆଁ ଧାନ, ସାରୁ ଶାଗ, କୁରେ ପତ୍ର, କରଡ଼ି ଆଦିର ଚାହିଦା ମଧ୍ୟ ବେଶ୍ ବୃଦ୍ଧି ପାଇଛି। ତେବେ ନୂଆଁ ଖାଇ ସାରିବା ପରେ ଅପରାହ୍ଣରୁ ହିଁ ଗୁରୁଜନ, ପଡ଼ୋଶୀ, ବନ୍ଧୁବାନ୍ଧବଙ୍କୁ ନୂଆଁଖାଇ ଜୁହାର୍ କରାଯିବାର ପରମ୍ପରା ରହିଛି। ମାତ୍ର ଗତ ବର୍ଷ ଭଳି ଏଥର ବି ଏହି ପର୍ବ କେବଳ ପରିବାର ମଧ୍ୟରେ ସୀମିତ ରହିବ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ନୂଆଁଖାଇ ଭେଟ୍ଘାଟ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ବି ଦେଖିବାକୁ ମିଳିବନି।