କିସ୍‍ ବିଶ୍ୱବିଦ୍ୟାଳୟରେ ୨୩ଜଣ ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ୍‍ ମାନ୍ୟତା

ଭୁବନେଶ୍ବର,୧୧/୯: କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୩ଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ୍‍ ମାନ୍ୟତା ପ୍ରଦାନ କରାଯାଇଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରଫେସର ଏମେରିଟସମାନେ ସମୟକୁ ସମୟ କିସ୍‍ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ରହିଥିବା ଏହି ଶିକ୍ଷାବିତମାନେ ସମ୍ପୂର୍ଣ୍ଣ ଅବୈତନିକ ଭାବେ କିସ୍‍ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣା ଦିଗରେ ଆବଶ୍ୟକ ପରାମର୍ଶ ପ୍ରଦାନ କରିବା ସହ ମାର୍ଗଦର୍ଶନ କରିବେ। କୌଣସି ଏକ ବିଶ୍ୱବିଦ୍ୟାଳୟରେ ଏତେ ସଂଖ୍ୟକ ବିଶିଷ୍ଟ ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ ମାନ୍ୟତା ପ୍ରଦାନ କରାଯିବା ପ୍ରଥମ ବୋଲି କୁହାଯାଉଛି। କାର୍ଯ୍ୟକ୍ରମରେ କିଟ୍‍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର ଏନ୍‍ ଦାଶ, କୁଳପତି ପ୍ରଫେସର ଦିପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିସ୍‍ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି ପ୍ରମୁଖ ଉପସ୍ଥିତ ଶିକ୍ଷାବିତମାନଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହ କିସ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଦୁଇଟି ଅଲଗା ଅଲଗା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହା ଦ୍ୱାରା କିସ୍‍ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ କିସ୍‍ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ କିସ୍‍ ପକ୍ଷରୁ କୁଳପତି ପ୍ରଫେସର ଦିପକ ବେହେରା ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ ଉଭୟ ବିଶ୍ୱବିଦ୍ୟାଳୟ କୁଳସଚିବ ଉପସ୍ଥିତ ଥିଲେ।