ଅହମ୍ମଦାବାଦ,୧୨/୯: ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ । ଗୁଜୁରାଟ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଆଜି ଭୁପେନ୍ଦ୍ର ପଟେଲଙ୍କ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି । ସୂଚନା ମୁତାବକ ଗତକାଲି ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କ ନାମକୁ ସୁପାରିସ କରିଛନ୍ତି । ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ରଙ୍କ ନାମକୁ ବିଜୟ ରୂପାନୀ ସୁପାରିସ କରିଛନ୍ତି ।
୨୦୧୭ ମସିହାରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ଜିତି ସେ ବିଧାୟକ ହୋଇଥିଲେ । ଗୁଜୁରାଟର ଘାତାଲୋଡିୟା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କ ନାମ ଥିଲେ ହେଁ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଆଣି ବିଜେପି ସମସ୍ତଙ୍କୁ ଚକିତ କରିଦେଇଛି ।
ଉଲ୍ଲେଖ ଥାଉ କି ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶନିବାର ଇସ୍ତଫା ଦେଇଥିଲେ । ୨୦୨୨ ଡିସେମ୍ବରରେ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହାର ୧୫ ମାସ ପୂର୍ବରୁ ରୂପାନୀ ଇସ୍ତଫାକୁ ଦେଇଥିଲେ । ଗତମାସରେ ରୂପାନୀଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ୫ ବର୍ଷ ପୂରିଥିଲା।