ରେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ଶବ, ମୃତ୍ୟୁ ନେଇ ସନ୍ଦେହ

ମହାକାଳପଡ଼ା,୧୩/୯: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତର ଓରତ ପୋଲ ନିକଟରେ ଥିବା ଏକ ରେଷ୍ଟ୍ ହାଉସ ଭିତରେ ସୋମବାର ଦିନ ଅଜଣା ଯୁବକଙ୍କ ମୃତ ଦେହ ତଳକୁ ମୁହଁ ମାଡି ପଡିଥିବାର ଦେଖିବାକୁ ମିଳିଛି l ସକାଳେ ଅଲାଇଲୋ ସରପଞ୍ଚ ପ୍ରଫୁଲ୍ଲ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିକୁ ଚିହ୍ନିପାରୀ ମହାକାଳପଡ଼ା ଥାନା ଅଧିକାରୀ ଙ୍କୁ ଖବର ଦେଇଥିଲେ ଲ ସୂଚନାରୁ ଜଣାପଡିଛି ମୃତ ବ୍ୟକ୍ତି ଜଣକ ଜରିଆ ପଞ୍ଚାୟତ ନୁଆକଟ ଗ୍ରାମର ଭରତ ଖଟୁଆ , ମୃତ ଭରତ ପୂର୍ବରୁ ଅନେକ ଥର ପୋଲ ପାଖ ବଜାରରେ ବୁଲାବୁଲି କରିବା ସହିତ ଏହି ରେଷ୍ଟ ହାଉସରେ ବସିଥିବାର ସରପଞ୍ଚ ପ୍ରଫୁଲ୍ଲ ବେହେରା ଓ ସ୍ଥାନୀୟ ଲୋକ ମଧ୍ୟ ଦେଖିଥିବାର କହନ୍ତି l ଗତକାଲି ଭୟଙ୍କର ଲଘୁଚାପ ଜନିତ ଲଗାଣ ବର୍ଷା ପବନରେ ଓଦା ହୋଇ ଘରକୁ ଯାଇ ନ ପାରି ରେଷ୍ଟ ହାଉସରେ ରାତିରେ ଆଶ୍ରୟ ନେଇଥିବା ବେଳେ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକେ ଓ ସରପଞ୍ଚ କୁହନ୍ତି l

ମୃତକଙ୍କ ଭଉଣୀ ,ଭିଣୋଇ ମଧ୍ୟ ଖବର ପାଇ କୁମାରପଡ଼ାରୁ ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ l ମୃତ ବ୍ୟକ୍ତିର ନାକ ଓ ପାଟିରୁ ରକ୍ତ ବାହାରୁ ଥିବାରୁ ମୃତ୍ୟୁର ରହସ୍ୟ ଅସ୍ପଷ୍ଟ ରହିଛି l ଖବର ପାଇଁ ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରି ପୋଷ୍ଟମର୍ଟମ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି l ମହାକାଳପଡ଼ା ଅଂଚଳରେ ଦୁଇ ଦିନ ତଳେ ଜଣେ ଅଚିହ୍ନା ମହିଳାଙ୍କ ଶବ ପାଖ ଗୋବରୀ ନଦୀରେ ଭାସୁଥିବା ବେଳେ କୁମ୍ଭୀର ଶବଟିକୁ ଝୁଣି ଝୁଣି ଖାଉଥିବାର ଅଭାବନୀୟ ଘଟଣା ଦୃଶ୍ୟ ମାନ ହୋଇଥିଲା l ଅଗ୍ନି ଶମ ବାହିନୀ ଦ୍ୱାରା ଶବ ଉଦ୍ଧାର ହୋଇଥିଲେହେଁ କ୍ଷତ ବିକ୍ଷତ ଶବ ଚିହ୍ନଟ କରିବା ସମ୍ଭବ ହୋଇନଥିଲା l ସମୟେ ସମୟେ ଏଭଳି ଘଟଣା ପ୍ରଶାସନ ଓ ସାଧାରଣ ଜନତାଙ୍କୁ ବ୍ୟଥିତ କରୁଥିବାର ଜଣାପଡିଛି l