କଟକ, ୧୪/୯: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କଟକ ବାସୀଙ୍କ ଭାବାବେଗକୁ ଗୁରୁତ୍ଵ ଦେବା ଲାଗି ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି। ସେ ଲେଖିଛନ୍ତି ଓଡ଼ିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମୂର୍ତ୍ତିର ଉଚ୍ଚତାକୁ ନେଇ କଟକର ସାହି କମିଟି,ପୂଜା କମିଟି,ଶାନ୍ତି କମିଟି, ବୁଦ୍ଧିଜୀବୀ,ସାଂସ୍କୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ଭିନ୍ନଭିନ୍ନ ମତ ଆସୁଛି । କୋଭିଡ଼୍ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି। କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ, ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
ସେପଟେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଶେଷଜ୍ଞ ମୂର୍ତ୍ତିର ଉଚ୍ଚତା ସହିତ କୋଭିଡ ସଂକ୍ରମଣର କିଛି ସଂପର୍କ ରହିଛି ତାହା ପୁଣି ବୁଝାଇବାକୁ ଚେଷ୍ଟା କରିଛନ୍ତି । ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ କିନ୍ତୁ ଏହାଦ୍ବାରା ଲୋକଙ୍କ ଭିଡ଼ ବଢିବା ସମ୍ଭାବନା ରହିବ । ଅନ୍ୟ ରାଜ୍ୟମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହେବେ ଭିଡ଼ କରିବେ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଦଶହରା ମୂର୍ତ୍ତି ବିବାଦ ନେଇ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ବି ବିବାଦ ଥମିବାରେ ନାଁ ନେଉନି। କଥା ଏବେ ହାଇକୋର୍ଟକୁ ଗଲାଣି ।