ବର୍ଷାଜନିତ କ୍ଷୟକ୍ଷତିକୁ ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫/୯ : ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଏହାକୁ ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁଁ କେତେ କ୍ଷୟକ୍ଷତି ଘଟିଛି ସେ ସଂକ୍ରାନ୍ତରେ ଆକଳନ ରିପୋର୍ଟ ଆସନ୍ତା ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ୨୧ଟି ଜିଲ୍ଲାର ୧୨୬ ବ୍ଲକ୍‍ର ୪ ହଜାର ୩୩୪ ଗାଁ କ୍ଷତିଗ୍ରସ୍ତ ହୋଇଛି। ଫଳରେ ୨୧ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ହଜାର ୮୩୯ ଘର ଭାଙ୍ଗିଛି। ସେହିପରି ବର୍ଷା ଯୋଗୁଁ ୧ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। ୧୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବର୍ଷା କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ ଓ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ଶ୍ରୀ ଜେନା ପରାମର୍ଶ ଦେବା ସହ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି ବୋଲି କହିଛନ୍ତି।