ଭୁବନେଶ୍ବର,୧୬/୯: ୧୮ ତାରିଖ ସଂଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଆଶଙ୍କା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଡ୍ୟାମ୍ର ୨୮ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଂଚଳଗୁଡ଼ିକରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।
ହୀରାକୁଦରୁ ଛଡ଼ାଯାଇଥିବା ପାଣି ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳୀରେ ପହଞ୍ଚିବ । ସକାଳରୁ ମଧ୍ୟାହ୍ନ ଭିତରେ ମୁଣ୍ଡୁଳିରେ ୮ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ । ରାତି ସୁଦ୍ଧା ପାଣି ତଳିଆ ଅଂଚଳରେ ପହଞ୍ଚିବ । ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ । ତେବେ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର ଓ ପୁରୀ ଭଳି ୬ ଜିଲ୍ଲାରେ ୩୦ଟି ଓଡ୍ରାଫ, ୧୨ଟି NDRF, ଅଗ୍ନିଶମ ବାହିନୀର ୧୦ଟି ଟିମ୍ଙ୍କୁ ମୁତୟନ କରାଯାଇଛି । ଏଯାଏଁ ସେମିତି ଉଦବେଗଜନକ ସ୍ଥିତି ନାହିଁ ବୋଲି ଏସଆରସି କହିଛନ୍ତି ।