ଦାରିଙ୍ଗିବାଡ଼ି,୧୬/୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରି ନିଜେ ଗୃହ ନିର୍ମାଣ କରିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା-ସଭ୍ୟ ପ୍ରମୁଖ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।
ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ଦେବା ପୂର୍ବରୁ ଚଞ୍ଚକତା କରି କାର୍ଯ୍ୟ ଶେଷ କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକ ପ୍ରତିନିଧି । ସ୍ଥାନୀୟ ବିଧାୟକ ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ସରକାରୀ ଜାଗାରେ ବ୍ୟକ୍ତିଗତ କୋଠା ନିର୍ମାଣ କରୁଥିବା ବି ଅଭିଯୋଗ ହୋଇଛି । ସେହି କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନଥିବା ବେଳେ ବିଧାୟକ ଚଞ୍ଚକତା କରି ସରକାରୀ ଜମିକୁ ହାତେଇଛନ୍ତି ବୋଲି ଅଧ୍ୟକ୍ଷା କହିଛନ୍ତି । ତେଣୁ ଏ ଦିଗରେ ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି ହୋଇଛି ।
ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରି ଉନ୍ନୟନ କାମ ବାଧାପ୍ରାପ୍ତ କରୁଥିବା ଯୋଗୁଁ ତାଙ୍କୁ ଶୀଘ୍ର ବଦଳି ଦାବି କରିଛନ୍ତି ପଞ୍ଚାୟତ ପ୍ରତିନିଧି । ଦାରିଙ୍ଗବାଡ଼ି ବସ୍ଷ୍ଟାଣ୍ଡ ଠାରୁ ବିକ୍ଷୋଭକାରୀମାନେ ପ୍ଲାକାର୍ଡ, ବ୍ୟାନର ଧରି ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଅନଶନରେ ବସିଛନ୍ତି । ଘଟଣା ସ୍ଥଳରେ ବାଲିଗୁଡ଼ା ଏସ୍ଡିପିଓ ମନୋଜ କୁମାର ପୂଜାରୀ, ତହସିଲଦାର ଚାର୍ଲସ ନାୟକ, ଆଇଆଇସି କୌଶିକ ମାଝି ପ୍ରମୁଖ ଅନଶନ ସ୍ଥାନରେ ଉପସ୍ଥିତ ଅଛନ୍ତି ।