‘ବ୍ୟାଡ୍‌ ବ୍ୟାଙ୍କ’ ପାଇଁ ୩୦,୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟିକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧୬/୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବହୁପ୍ରତିକ୍ଷିତ ‘ବ୍ୟାଡ୍‌ ବ୍ୟାଙ୍କ’ର ଗଠନ ପାଇଁ ଘୋଷଣା କରିଛନ୍ତି। ସରକାର ନ୍ୟାସନାଲ୍‌ ଆସେଟ୍‌ ରିକନଷ୍ଟ୍ରକ୍ସନ କମ୍ପାନୀ (NARCL) ଅର୍ଥାତ ବ୍ୟାଡ୍‌ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଜାରି ହେବାକୁ ଥିବା ସିକ୍ୟୁରିଟି ରିସିପ୍ଟକୁ ଗ୍ୟାରେଣ୍ଟି ଦେବେ ବୋଲି ସେ କହିଛନ୍ତି। ଏହି ଗ୍ୟାରେଣ୍ଟି ୩୦,୬୦୦ କୋଟି ଟଙ୍କାର ହେବ। ଚଳିତବର୍ଷ ବଜେଟ୍‌ ସମୟରେ ବ୍ୟାଡ୍‌ ବ୍ୟାଙ୍କ ଗଠନ ନେଇ ସରକାର ଘୋଷଣା କରିଥିଲେ।

ସାମ୍ବାଦିକ ସମ୍ମଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟାଡ୍‌ ଲୋନ୍‌ ରିକୋଭର ହୋଇଛି। ମାର୍ଚ୍ଚ ୨୦୧୮ରୁ ଏବେ ଯାଏଁ ୩ ଲକ୍ଷ କୋଟିରୁ ଅଧିକ ଆଦାୟ ହୋଇଛି। କେବଳ ୨୦୧୮-୧୯ରେ ବ୍ୟାଙ୍କ ୧.୨ ଲକ୍ଷ କୋଟି ଟଙ୍କା ଋଣ ଟଙ୍କା ଆଦାୟ କରିଛନ୍ତି। ବ୍ୟାଡ୍‌ ବ୍ୟାଙ୍କ ବତୀତ ଆଜି ଋଣ ପରିଚାଳନା କମ୍ପାନୀ ଗଠନ ପାଇଁ ମଧ୍ୟ ଘୋଷଣା ହୋଇଛି।

ବ୍ୟାଡ ବ୍ୟାଙ୍କ ଗଠନ ପାଇଁ ଭାରତୀୟ ବ୍ୟାଙ୍କ ସଙ୍ଘ (ଆଇବିଏ)କୁ ଦାୟିତ୍ବ ଦିଆଯାଇଛି। ପ୍ରସ୍ତାବିତ ବ୍ୟାଡ୍‌ ବ୍ୟାଙ୍କ (ଏନଏଆରସିଏଲ୍‌) ଲୋନ୍‌ ପାଇଁ ସହମିତି ମୂଲ୍ୟର ୧୫ ପ୍ରତିଶତ ନଗଦ ପ୍ରଦାନ କରିବ ଏବଂ ବାକି ୮୫ ପ୍ରତିଶତ ସରକାରଙ୍କ ଗ୍ୟାରେଣ୍ଟି ସିକ୍ୟୁରିଟି ରିସିପ୍ଟସ୍‌ରେ ରହିବ। ଏନଏଆରସିଏଲ୍‌ ସ୍ଥାପନ ପାଇଁ ଲାଇସେନ୍ସ ହାସଲ୍‌ କରିବାକୁ ଗତ ମାସରେ ଆଇବିଏ ଆରବିଆଇରେ ଆବେଦନ କରିଥିଲା।

‘ବ୍ୟାଡ ବ୍ୟାଙ୍କ’ କୌଣସି ବ୍ୟାଙ୍କ ନୁହେଁ ବରଂ ଏହା ଏକ ଆସେଟ୍‌ ରିକନଷ୍ଟ୍ରକ୍ସନ କମ୍ପାନୀ। ବ୍ୟାଙ୍କର ବୁଡ଼ିଯାଇଥିବା ଋଣ ରାଶି ଏହି କମ୍ପାନୀକୁ ଟ୍ରାନ୍ସଫର କରାଯିବ । ଏହା ଦ୍ବାରା ବ୍ୟାଙ୍କର ବାଲାନ୍ସ ସିଟ୍‌ କ୍ଲିୟର ହେବ ଏବଂ ଲୋକମାନଙ୍କୁ ସହଜରେ ଋଣ ମିଳିପାରିବ। ଏହା ଦ୍ବାରା ଦେଶର ଆର୍ଥିକ ଗତିବିଧି ବୃଦ୍ଧିପାଇବ । ତେବେ ବ୍ୟାଙ୍କର ଋଣ ରାଶି ବ୍ୟାଡ ବ୍ୟାଙ୍କ ଏକ ଧାର୍ଯ୍ୟ ସମୟ ମଧ୍ୟରେ ଆଦାୟ କରିବ।