ଫେବୃଆରୀ ୧୫ରେ ବାରବାଟୀରେ ଖେଳାଯିବ ଟି-ଟ୍ବେିଣ୍ଟି ମ୍ୟାଚ

ଭୁବନେଶ୍ବର,୨୦/୯ : ଦୀର୍ଘ ଦୁଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଟି-ଟ୍ବେିଣ୍ଟି ମ୍ୟାଚ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫେବୃଆରୀ ୧୫ରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି। ଏଥିପାଇଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ବୋଲି ଓସିଏ ସମ୍ପାଦକ ପ୍ରକାଶ କରିଛନ୍ତି।

ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାକୁ ଆସିବ। ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ୧୨ ତାରିଖ ଯାଏ ଯଥାକ୍ରମେ ଅହମ୍ମଦାବାଦ, ଜୟପୁର, କଲକାତାରେ ଅନୁଷ୍ଠିତ ହେବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ଏହା ପରେ ବାକି ଦୁଇଟି ମ୍ୟାଚ୍ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ।

ବାରବାଟୀରେ ଭାରତ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ୧୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। କିନ୍ତୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ସେହିପରି ଏଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା, ଯେଉଁଥିରେ ଭାରତ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର’ ହୋଇଛି। ବାରବାଟୀରେ ବର୍ତ୍ତମାନ ମାତ୍ର ଦୁଇଟି ଟି-୨୦ ମ୍ୟାଚର ଆୟୋଜନ ହୋଇଛି। ଏଥିରୁ ଭାରତ ଗୋଟିଏରେ ଜିତିଥିବା ବେଳେ ଗୋଟିଏରେ ହାରିଛି।