ସରକାରଙ୍କ ବଡ଼ ଘୋଷଣା, ଫାର୍ମାସିଷ୍ଟ କରିପାରିବେ ରୋଗୀଙ୍କ ଚିକିତ୍ସା

ଭୁବନେଶ୍ୱର,୨୩/୯: ଫାର୍ମାସିଷ୍ଟମାନେ ରୋଗୀ ଦେଖିବା ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଯେଉଁ ସରକାରୀ ଡାକ୍ତରଖାନାରେ ଜଣେ ଫାର୍ମାସିଷ୍ଟ ଥିବେ ସେଠାରେ ସେମାନେ ରୋଗୀଙ୍କ ସାଧାରଣ ଚିକିତ୍ସା କରିପାରିବେ। ରାଜ୍ୟରେ ଡାକ୍ତର ଅଭାବ ଥିବା ବେଳେ ସରକାରଙ୍କ ଏପରି ନିଷ୍ପତ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କିଛିଟା ସୁଧାର ଆଣିପାରେ। ସେହିପରି ପୁରୁଣା ନିୟମ ଅନୁସାରେ ଫାର୍ମାସିଷ୍ଟ ରୋଗୀ ଦେଖିବାକୁ ନେଇ ଯେଉଁ ପ୍ରତିବାଦ ହେଉଥିଲା ଓ ଭିଡିଓ ଭାଇରାଲ ହେବା ପରେ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ତାହା ହେବ ନାହିଁ ।

ଏବେ ରୋଗୀଙ୍କ ପାଇଁ ସାଧାରଣ ଔଷଧ ବି ପ୍ରେସ୍କ୍ରାଇବ କରିପାରିବେ ଫାର୍ମାସିଷ୍ଟ । ଡାକ୍ତରଙ୍କ ପରି ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରିବାକୁ ଫାର୍ମାସିଷ୍ଟମାନଙ୍କୁ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି । ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଅନୁସାରେ ଫାର୍ମାସିଷ୍ଟ ମାନେ ସାଧାରଣ ଜ୍ବର, ଝାଡାବାନ୍ତି, ପେଟ ଯନ୍ତ୍ରଣା, କୃମି ଜନିତ ରୋଗ, ଚର୍ମରୋଗ, ମ୍ୟାଲେରିଆ ଭଳି ୧୩ ପ୍ରକାର ରୋଗର ଚିକିତ୍ସା କରି ପାରିବେ । ଏନେଇ ସ୍ବାସ୍ଥ୍ୟ ବିଭାଗ କହିଛି ଫାର୍ମାସିଷ୍ଟମାନଙ୍କୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଟ୍ରେନିଂ ଦିଆସରିଛି । ଯେଉଁଠି ଡାକ୍ତର ନଥିଲେ ସେଠାରେ ଫାର୍ମାସିଷ୍ଟମାନଙ୍କୁ ଔଷଧ ଲେଖିବାକୁ କୁହାଯାଇଥିଲା । ଏବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ସରକାର ଫାର୍ମାସିଷ୍ଟମାନଙ୍କୁ ସାଧାରଣ ଚିକିତ୍ସା କରିବାକୁ ଅନୁମତି ଦେଇଛନ୍ତି । ଏହା ଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

ତେବେ ସରକାରଙ୍କ ନୂଆ ନିୟମକୁ ଆଇଏମଏ ସ୍ବାଗତ କରିଥିଲେ । ଫାର୍ମାସିଷ୍ଟଙ୍କ ଉପରେ ପୂରା ଚିକିତ୍ସା ଛଡ଼ାଗଲେ ସ୍ବାସ୍ଥ୍ୟସେବା ବ୍ୟାହତ ହେବ। ସେପଟେ ଫାର୍ମାସିଷ୍ଟ ସଂଘ କହିଛି ପୂର୍ବରୁ ସେମାନେ ସାଧାରଣ ରୋଗ ଲାଗି ଔଷଧ ଦେଇଆସୁଥିଲେ। ରାଜ୍ୟରେ ୩ ହଜାର ୩ ଶହ ମଜୁରୀପ୍ରାପ୍ତ ଫାର୍ମାସିଷ୍ଟ ପଦବୀ ରହିଛି । ସେଥିରୁ ୨୧ ଶହ ଫାର୍ମାସିଷ୍ଟ ଥିବାବେଳେ ୧୨ଶହ ପୋଷ୍ଟ ଖାଲି ପଡିଛି । ତେଣୁ ଫାର୍ମାସିଷ୍ଟ ଡାକ୍ତରଙ୍କ ଅଧା ବୋଝ ହାଲୁକା କଲା ବେଳକୁ ସେମାନଙ୍କ କାର୍ଯ୍ୟବୋଝ ବଢ଼ିବା ଆଶଙ୍କା ବି ରହିଛି।