ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନୀକୁ ବୀମା ଲୋକପାଳଙ୍କ ନିର୍ଦ୍ଦେଶ : ମାସେ ମଧ୍ୟରେ ପଲିସିଧାରୀଙ୍କୁ ହସ୍ପିଟାଲ ଖର୍ଚ୍ଚ ପୈଠ କର

ଭୁବନେଶ୍ୱର,୨୩/୯ : (ପ୍ରଦୀପ୍ତ କୁମାର ଦାସ) – ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନୀ ଅଧୀନରେ ସ୍ୱାସ୍ଥ୍ୟ ବୀମା(ନ୍ୟାସନାଲ ମେଡି କ୍ଳେମ ପଲିସି)କରିଥିବା ଜଣେ ପଲିସିଧାରୀଙ୍କୁ ଏକ ମାସ ମଧ୍ୟରେ ହସ୍ପିଟାଲ ଖର୍ଚ୍ଚ ବାବଦ ସମସ୍ତ ଅର୍ଥ ପୈଠ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ରାଜ୍ୟ ବୀମା ଲୋକପାଳ ସୁରେଶ ଚନ୍ଦ୍ର ପଣ୍ଡା । ଏନେଇ ସମ୍ପୃକ୍ତ ପଲିସିଧାରୀଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ବୀମାଲୋକପାଳଙ୍କ ଅଦାଲତରେ ଉକ୍ତ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଥିଲା । ନିକଟରେ ମାମଲାର ଶୁଣାଣି କରି ମାନ୍ୟବର ବୀମାଲୋକପାଳ ଏହି ରାୟ ଦେଇଛନ୍ତି.ତେବେ ଘଟଣାର ବିବରଣୀରୁ ପ୍ରକାଶଯେ କିଛିମାସ ତଳେ ସମ୍ପୃକ୍ତ ପଲିସିଧାରୀ ଅସିତା ଦାସଙ୍କ ଆଖିପତ୍ତା ସଂକ୍ରମିତ ହୋଇଥିଲା । ସେତେବେଳେ ତାଙ୍କ ଆଖିପତ୍ତାରେ ଏକ ସିଷ୍ଟ ହୋଇଥିବାରୁ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ସ୍ଥାନୀୟ ଏଲ ଭି ପ୍ରସାଦ ଆଇ ହସ୍ପିଟାଲରେ ସେ ଚିକତ୍ସା ହୋଇଥିଲେ । ତଦନୁଯାୟୀ ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ତାଙ୍କ ଆଖିରେ ଅସ୍ତ୍ରପ୍ରଚାର କରିବା ପରେ ସେ ସୁସ୍ଥ ହୋଇଥିଲେ । ପରେ ତାଙ୍କ ପକ୍ଷରୁ ଏନେଇ ଡାକ୍ତରଖାନାରେ ହୋଇଥିବା ସମସ୍ତ ଖର୍ଚ୍ଚ ବାବଦ ଅର୍ଥ ପ୍ରଦାନ କରିବାକୁ ଦାବୀ କରି ଉକ୍ତ ବୀମା କମ୍ପାନୀର ଟିପିଏ (ମେଡିଆସିଷ୍ଟ ଇଣ୍ଡିଆ ଟିପିଏ ପ୍ରା ଲି)ଜରିଆରେ ଆନୁସଙ୍ଗିକ ନଥିପତ୍ର ଦାଖଲ କରାଯାଇଥିଲା । ମାତ୍ର ସମ୍ପୃକ୍ତ ଟିପିଏ ସଠିକ ଭାବେ ଏହାର ଉପଯୁକ୍ତ ତର୍ଜମା ନକରି ଏହା ଗ୍ରହଣୀୟ ନୁହେଁ ବୋଲି ରିପୋର୍ଟ ଦେଇଥିଲା ।

ଫଳରେ ଉକ୍ତ ବୀମା କମ୍ପାନୀ ପଲିସିଧାରୀ ଅସିତା ଦାସଙ୍କ ଖର୍ଚ୍ଚ ପ୍ରଦାନ ଦାବୀକୁ ଅଗ୍ରାହ୍ୟ କରିଦେଇଥିଲା । ତେଣୁ ଏହାକୁ ଚ୍ୟାଲେଞ୍ଜ କରି ବୀମାଧାରୀ ଅସିତା ଦାସଙ୍କ ପକ୍ଷରୁ ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନୀ ଓ ଉକ୍ତ ଟିପିଏ ବିରୋଧରେ ମାନ୍ୟବର ରାଜ୍ୟ ବୀମାଲୋକପାଳଙ୍କ ଅଦାଲତରେ ବିଧିବଦ୍ଧ ଭାବେ ଆପତ୍ତି କରାଯାଇଥିଲା । ତେବେ ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ଦାଖଲ ହୋଇଥିବା ସମସ୍ତ ଆନୁସଙ୍ଗିକ ନଥିପତ୍ରକୁ ବିଭାଗୀୟ ପ୍ରଫେସନାଲ ଏକ୍ସପର୍ଟ ସୁରେଶ ଚନ୍ଦ୍ର ବେହେରା ଓ ଅନ୍ୟମାନେ ଉପଯୁକ୍ତ ଭାବେ ଯାଞ୍ଚକରି ଲୋକପାଳଙ୍କ ନିକଟରେ ରିପୋର୍ଟ ପେସ କରିଥିଲେ । ତେବେ ଉଭୟପକ୍ଷର ଶୁଣାଣି ପରେ ମାମଲାର ବିଚାର କରି ମାନ୍ୟବର ବୀମା ଲୋକପାଳ ଶ୍ରୀ ପଣ୍ଡା ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନୀକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ଏହି ପରିପ୍ରେକ୍ଷୀରେ ବୀମାଲୋକପାଳଙ୍କ ଏପରି ରାୟକୁ ସ୍ୱାସ୍ଥ୍ୟବୀମା ଖାଉଟି ମହଲରେ ବେଶ ସ୍ୱାଗତ କରାଯାଇଛି ।