ବାୟୁ ପ୍ରଦୂଷଣ ଯୋଗୁ ବର୍ଷକରେ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି : WHO

ନୂଆଦିଲ୍ଲୀ, ୨୪/୯ : ପ୍ରତିବର୍ଷ ବିଶ୍ୱର ୯୦ ପ୍ରତିଶତ ଜନ ସମୂହ ଏବଂ ଦକ୍ଷିଣ ଏସିଆର ପୁରା ଜନସଂଖ୍ୟା ପ୍ରଦୂଷିତ ବାତାବରଣରେ ରହିବାକୁ ବାଧ୍ୟ ହୁଅନ୍ତି । ତେବେ ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଏକ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)। ଶେଷଥର ପାଇଁ ୨୦୦୫ରେ ହୁ’ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁ ବର୍ଷକରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି।

ତେଣୁ ବାୟୁ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହେଉଥିବା ଫୁସଫୁସ ସମ୍ପର୍କିତ ରୋଗ ସହ ମୃତ୍ୟୃହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ ହୁ’ ଏପରି ଗାଇଡଲାଇନ ଜାରି କରିଛି। ମିଳିତ ଜାତିସଂଘର ୧୯୪ ସଦସ୍ୟ ଦେଶକୁ ହୁ’ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ପ୍ରଦୂଷଣର ସୃଷ୍ଟି ହେଉଥିବା ସର୍ବାଧିକ ସ୍ତରକୁ ହ୍ରାସ କରାଯାଇଛି।

ନୂଆ ଗାଇଡଲାଇନରେ ଜୀବାଶ୍ମ ଇନ୍ଧନରୁ ମିଳୁଥିବା କଣିକା ମ୍ୟାଟର ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି। ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ। ଏଥିସହ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଏହା ସବୁଠାରୁ ବଡ଼ ବିପଦ। ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ତେଣୁ ବାୟୁ ପ୍ରଦୂଷଣ ଜନିତ ସମସ୍ୟାକୁ ସୁଧାରି ପାରିଲେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଏଥିରେ କୁହାଯାଇଛି।