ନୂଆଦିଲ୍ଳୀ,୨୫/୯ : ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ୱାନୀ ସେପ୍ଟେମ୍ବର ୨୮ ରେ କଂଗ୍ରେସରେ ଯୋଗଦେବେ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ନିକଟରେ କହ୍ନେୟା କୁମାର ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଯାହାଦ୍ବାରା ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ସୂଚନାନୁସାରେ, କହ୍ନେୟା କୁମାରଙ୍କ ପାଇଁ ଦଳର ଅନେକ ଯୋଜନା ରହିଛି, ଯାହା କାର୍ଯ୍ୟକାରୀ ହେବ। ଏଥି ସହିତ ଅନେକ ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ କହ୍ନେୟା କେବଳ ବିହାରରେ ସୀମିତ ରହିବେ ନାହିଁ, ଦଳ ତାଙ୍କୁ ଜାତୀୟ ସ୍ତରରେ ମଧ୍ୟ ବ୍ୟବହାର କରିପାରିବ। ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ କହ୍ନେୟା କୁମାର ଏବଂ ଜିଗ୍ନେଶ ମେଭାନୀ ମଧ୍ୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ପୁରୁଣା ନେତାଙ୍କ ପ୍ରଭାବ ବର୍ତ୍ତମାନ କଂଗ୍ରେସ ଦଳରେ ଶେଷ ହୋଇଛି, ତେଣୁ ବର୍ତ୍ତମାନ ଯୁବକମାନଙ୍କୁ ଏକ ସୁଯୋଗ ଦିଆଯାଉ । ସେ କହିଛନ୍ତି ଯେ କହ୍ନେୟା ଏବଂ ଜିଗ୍ନେଶଙ୍କ ପ୍ରବେଶ ଦ୍ୱାରା ଏହା କ୍ଷତିପୂରଣ ହୋଇପାରିବ। ଗତ ଦେଢ ବର୍ଷ ଧରି କହ୍ନେୟା କୁମାର ରାଜନୀତିରେ କ୍ୱଚିତ୍ ସକ୍ରିୟ ଦେଖାଯାଉଥିଲେ। ପ୍ରଶାନ୍ତ କିଶୋର କହିଛନ୍ତି ଯେ କହ୍ନେୟାଙ୍କ ଭାଷଣ ଦେବାର ଶୈଳୀ ଭୋଟରଙ୍କୁ ଆକର୍ଷିତ କରିପାରିବ।
ତେବେ ବିହାର କଂଗ୍ରେସର କୌଣସି ନେତା ଏହି କଳ୍ପନା ଜଳ୍ପନା ନେଇ ଖୋଲାଖୋଲି ଭାବେ କହିବାକୁ ମନା କରି ଦେଇଛନ୍ତି। କୁହାଯାଉଛି ଯେ କହ୍ନେୟାଙ୍କ ସମ୍ଭାବ୍ୟ ପ୍ରବେଶ ହେତୁ ବହୁ ବରିଷ୍ଠ ନେତା ନିଜର ଗୁରୁତ୍ବ ହରାଇବାକୁ ନେଇ ଭୟ କରୁଛନ୍ତି। ପୂର୍ବରୁ କହ୍ନେୟା କୁମାର ସହଯୁକ୍ତ ଜନତା ଦଳ (ଜେଡିୟୁ) ନେତା ଅଶୋକ ଚୌଧୁରୀଙ୍କୁ ମଧ୍ୟ ଭେଟିଥିଲେ। ଯାହାକୁ ନେଇ ରାଜନୈତିକ ମହଲରେ ବହୁ ଆଲୋଚନା କରାଯାଇଥିଲା।