ଭୁବନେଶ୍ବର,୨୫/୯ : ଢେଙ୍କାନାଳ ଭାପୁର ନିକଟ ନିକାଞ୍ଛନ ସ୍ଥାନରେ ଚୋରା ବନ୍ଧୁକ ତିଆରି କାରଖାନା ଓ ବିକ୍ରି ନେଇ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍କୁ ଖବର ମିଳିଥିଲା। ଖବର ମୁତାବକ କାରାଖାନା ମାଲିକ ଦୁଇ ବେପାରୀଙ୍କୁ ବନ୍ଧୁକ ବିକ୍ରି କରିବାକୁ ଆସିଥିଲା। ଏସଟିଏଫ୍ ଚଢ଼ଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ ଧରିବାକୁ ସକ୍ଷମ ହେଲା। କିନ୍ତୁ କାରଖାନା ମାଲିକ ଫେରାର ହୋଇଗଲା। ଦୁଇ ବେପାରୀଙ୍କ ପାଖରୁ ୧୦ ବନ୍ଧୁକ ଜବତ ହେଲା ସତ, କିନ୍ତୁ କେଉଁଠି କାରାଖାନା ଚାଲିଛି ଓ ବନ୍ଧୁକ ତିଆରି ହେଉଛି ତାହାର ସନ୍ଧାନ ମିଳିପାରିଲା ନାହିଁ। ଗିରଫ ଦୁଇ ଜଣ ହେଲେ କଟକ ଜିଲ୍ଲା ଖୁଣ୍ଟୁଣି ରାମକୃଷ୍ଣପୁର ଅଞ୍ଚଳର କାଳନ୍ଦୀ ନାୟକ ଓ ଢେଙ୍କାନାଳ ବାଲିଆମ୍ବ ଅଞ୍ଚଳର ଶ୍ୟାମସୁନ୍ଦର ଶୀଠ। ଉଭୟଙ୍କ ଠାରୁ ୯ ଟି ରାଇଫଲ୍ ଓ ଗୋଟିଏ ମାଉଜର ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବନ୍ଧୁକ ତିଆରି ଓ ବିକ୍ରି ସମ୍ପର୍କରେ ଏସଟିଏଫ୍କୁ ପୂର୍ବରୁ ଖବର ମିଳିଥିଲା। ଗତକାଲି ଅପରାହ୍ନରେ ଢେଙ୍କାନାଳ ଭାପୁର ଗାଁ ରାସ୍ତା ନିକଟରେ ଡିଲ୍ ଚାଲୁଥିବା ବେଳେ ଟିମ୍ ଚଢ଼ଉ କରି କାଳନ୍ଦୀ ଓ ଶ୍ୟାମସୁନ୍ଦରକୁ କାବୁ କରିଥିଲା। ଫେରାର କାରଖାନା ମାଲିକ ଏହି ବନ୍ଧୁକ ତିଆରି କରି ବେପାରୀମାନଙ୍କୁ ଯୋଗାଉଥିଲା। ବେପାରୀ ଏହାକୁ ୫ରୁ ୭ ହଜାର ଟଙ୍କାରେ କିଣନ୍ତି। ବିଶେଷ କରି ଜଙ୍ଗଲରେ ଜୀବଜନ୍ତୁ ଶିକାର କରୁଥିବା ଶିକାରୀ, କାଠମାଫିଆ, ବାଲି ମାଫିଆ, ପଥର ମାଫିଆ ଏସବୁ ବନ୍ଧୁକ କିଣୁଥିଲେ। ବେପାରୀମାନେ ଶିକାରୀ ଓ ମାଫିଆଙ୍କୁ ୧୦ରୁ ୨୦ ହଜାର ଟଙ୍କାରେ ଏହାକୁ ବିକ୍ରି କରୁଥିଲେ। ସେହିପରି ମାଉଜର ଗୋଟାକୁ ମୂଲ୍ୟ ଥିଲା ୩୦ ହଜାର। କେତେକ ସମୟରେ ଚଢ଼ା ଦରରେ ବନ୍ଧୁକ ବେପାର ଚାଲେ।