ଗୁରୁ ନାନକ ଶିଖାମାନଙ୍କ ଆଦି ଗୁରୁ । ପିଲା ଦିନରୁ କିଛି ଚମତ୍କାରୀ ଘଟଣା ଘଟାଇଥିଲା ଯାହା ଫଳରେ ଲୋକେ ତାଙ୍କୁ ଦିବ୍ୟ ବ୍ୟକ୍ତିତ୍ୱର ଆଖ୍ୟା ଦେଇଥିଲେ । ସମାଜ ଚାଲିଥିଲା କୁପ୍ରଥାଗୁଡିକ ବିନାଶ କରିବା ପାଇଁ ନାନକ ବହୁତ ପ୍ରୟାସ କରିଥିଲେ ।
ଜାଣିବା ଏମିତି ଏକ ଗୁରୁଦ୍ୱାରା କଥା ଯେଉଁଠି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଭାରତୀୟମାନେ ଦର୍ଶନ କରିଥାନ୍ତି । ଏହି ଗୁରୁଦ୍ୱାରା ପାକିସ୍ତାନର ନାରୋବାଲ ଜିଲ୍ଲାରେ ଅବସ୍ଥିତ । ଏହାର ନାଁ ହେଲା କରତାପୂର ସାହେବ । ନାନକଙ୍କ ମୃତ୍ୟୁ ମଧ୍ୟ ଏଠାରେ ହୋଇଥିଲା । ତେଣୁ ଏଠାରେ ନାନକଙ୍କ ସମାଧି ରହିଛି ।

ଏହି ଗୁରୁଦ୍ୱାରା ପାକିସ୍ତାନ ଥିବା ଯୋଗୁଁ ଭାରତୀୟ ନାଗରିକଙ୍କୁ ଦର୍ଶନ ପାଇଁ ଭିଜା ଦରକାର ପଡିଥାଏ । ତେବେ ସମସ୍ତେ ଭିଜା ନେଇ ଗୁରୁଦ୍ୱାରା ଦର୍ଶନ କରିବା ସମ୍ଭବପର ହୋଇନଥାଏ । ତେଣୁ ଯେଉଁମାନେ ଯାଇପାରନ୍ତି ନାହିଁ ସେମାନେ ଭାରତ ସୀମାରେ ଅବସ୍ଥିତ ଡେରା ବାବା ସ୍ଥିତ ଗୁରୁଦ୍ୱାରା ସହିଦ ବାବା ସିଦ୍ଧ ସୈନ ରନ୍ଧାୱା ଯାଇ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କରତାପୂର ସାହେବ ଦର୍ଶନ କରିଥାନ୍ତି । ଏହି କରତାପୂର ସାହେବ ଭାରତୀୟ ସୀମାଠୁ ପ୍ରାୟ ୪କି:ମି ଦୂରରେ ଅବସ୍ଥିତ ।

ତତ୍କାଳୀନ ଗଭର୍ନର ଦୁନି ଚାନ୍ଦଙ୍କ ସାକ୍ଷାତ ଗୁରୁନାନକଙ୍କ ସହ ହୋଇଥିଲା । ତାଙ୍କୁ ସାକ୍ଷାତ ପରେ ଗଭର୍ନର ୧୦୦ ଏକର ଜମି ଗୁରୁଙ୍କ ପାଇଁ ଦାନ କରିଥିଲେ । ଏଠାରୁ ଗୁରୁନାନକ ଲଂଗରର ଶୁଭାରମ୍ଭ କରିଥିଲେ । ଏଠାରେ ଉଭୟ ପୁରୁଷ ଏବଂ ମହିଳା ମିଶି ଭୋଜନ କରିଥାନ୍ତି । ପୁରୁଷ ଏବଂ ମହିଳା ମଧ୍ୟରେ ଭେଦଭାବ ଶେଷ କରିବା ପାଇଁ ନାନକ ଏଠାରୁ ଲଂଗର ବ୍ୟବସ୍ଥା ଆରମ୍ଭ କରିଥିଲେ ।
ପଟିଆଲାର ମହାରାଜା ସର୍ଦାର ଭୂପିନ୍ଦର ସିଂ କରତାପୂର ସାହେବ ଗୁରୁଦ୍ୱାରା ନିର୍ମାଣ କରିଥିଲେ । ୧୯୯୫ ମସିହାରେ ପାକିସ୍ତାନ ସରକାର ଏହାର ମରାମତି କରିଥିଲେ ।