ପାଟନା ,୨୬ /୯ : ବିହାରର ଜଣେ ଫେରିବାଲାଙ୍କ ପୁଅ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୭୬୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ବିହାରର ଅନିଲ ବାସକ ସର୍ବଭାରତୀୟ ସ୍ଥରରେ ୪୫ ରାଙ୍କ୍ ପାଇଛନ୍ତି ।
ବିହାରର କିଶାନଗଞ୍ଜ ଜିଲ୍ଲାର ଅନିଲ ବାସକ ନିଜ ପାଇଁ ଏବଂ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅନିଲ ଅତି ସରଳ ପରିବାରରୁ ଆସି ଆଜି ଏତେବଡ ସଫଳତା ପାଇଛନ୍ତି । ବାପା ସାଇକେଲରେ ବୁଲି ବୁଲି ପୋଷାକ ବିକ୍ରିକରି ସ୍ବଳ୍ପ ରୋଜଗାର କରନ୍ତି । କିନ୍ତୁ ଅନିଲ ଏହାକୁ ନିଜର ଦୁର୍ବଳତା ବୋଲି କେବେ ଭାବି ନଥିଲେ ବରଂ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ଆଗକୁ ଯିବାପାଇଁ ପ୍ରେରଣା ଯୋଗାଇଥିଲା । ଅନିଲ କହିଛନ୍ତି ଯେ, ‘କୌଣସି କାମ ଛୋଟ ଏବଂ ବଡ ନୁହେଁ । ମୋ ବାପାଙ୍କ କଠିନ ପରିଶ୍ରମ ଦେଖି ମୁଁ ଜଣେ ଭଲ ଅଫିସର ହେବାକୁ ଚାହୁଁଥିଲି । ଯାହାଫଳରେ ମା ଏବଂ ବାପା ବିଶ୍ରାମ କରିବାର ସୁଯୋଗ ପାଇପାରିବେ ।
ପିଲାଦିନରୁ ପାଠପଢା ପ୍ରତି ଅହେତୁକ ଆଗ୍ରହ ଥିବା ଅନିଲ ବସାକ ତୃତୀୟ ପ୍ରୟାସରେ ଏହି ସଫଳତା ହାସଲ କରିଛନ୍ତି । ପ୍ରଥମ ପ୍ରୟାସରେ ସେ ପ୍ରି ଏବଂ ମେନ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ । ଦ୍ୱିତୀୟରେ ସେ ୬୧୬ତମ ରାଙ୍କ୍ ପାଇଥିଲେ । ଦ୍ୱିତୀୟ ପ୍ରୟାସ ପରେ ସେ ଆୟକର କମିଶନର ହୋଇଥିଲେ କିନ୍ତୁ ଆଇଏଏସ୍ ହେବାର ଇଚ୍ଛା ତାଙ୍କୁ ବେଶ ଆନ୍ଦୋଳିତ କରୁଥିଲା । ତେଣୁ ସ୍ୱତନ୍ତ୍ର ଛୁଟି ଆବେଦନ କରି ଆଇଏଏସ୍ ପାଇଁ ଲାଗିପଡିଲେ ଅନିଲ । ଏଥର UPSC ୨୦୨୦ରେ ସେ ସର୍ବଭାରତୀୟ ସ୍ତରରେ ୪୫ତମ ସ୍ଥାନ ଅକ୍ତିଆର କରି ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଅନିଲ ବାସକଙ୍କ ଚାରି ଭାଇ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନିଲ ଦ୍ୱିତୀୟ । ପିତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା, କିନ୍ତୁ ପୁଅର କଠିନ ପରିଶ୍ରମ ଦେଖି ସେ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଅନିଲ କିଶାନଗଞ୍ଜ ଓରିଏଣ୍ଟାଲ୍ ପବ୍ଲିକ୍ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରେ ୨୦୧୧ ମସିହାରେ ଆରାରିୟା ପବ୍ଲିକ୍ ସ୍କୁଲରୁ ଦଶମ ପରୀକ୍ଷା ଦେଇଥିଲେ ଏବଂ ୨୦୧୩ରେ ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ୨୦୧୪ ମସିହାରେ ଆଇଆଇଟି ଦିଲ୍ଲୀରୁ ସିଭିଲ୍ ଇଞ୍ଜିନିୟରିଂ ଆଡମିଶନ କରିଥିଲେ ।
ଅନିଲ ବସାକଙ୍କ ପରିବାର ଖୁବ ଦରିଦ୍ର ଥିଲେ । ସେ ୨୦୧୮ରେ ଇଞ୍ଜିନିୟରିଂ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍ ହୋଇପାରିଥିଲେ । ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କ ପିତା ମଧ୍ୟ ଅନିଲଙ୍କୁ ଆଗକୁ ପଢାଇବାକୁ ଅସମର୍ଥ ହୋଇଥିଲେ। ପିଲାଦିନରୁ ପରିବାରର ଏଭଳି ସ୍ଥିତି ଲାଗିରହିଥିଲା ତେଣୁ ଅନିଲ ଏଥିପାଇଁ ବିଚଳିତ ହୋଇନଥିଲେ ।
ଭାରତୀୟ ପ୍ରଶାସନିକ ସେବା ଏମିତି ଏକ ସେବା ଯାହାକୁ ପାଇବା ଏତେଟା ସହଜ ନୁହେଁ । କିନ୍ତୁ କଠିନ ପରିଶ୍ରମ, ଏକାଗ୍ରତା ଏବଂ ଧୌର୍ଯ୍ୟ ନିଶ୍ଚୟ ଜଣକୁ ସଫଳତାର ଶିର୍ଷରେ ପହଞ୍ଚାଇ ଦିଏ। ସେହିଭଳି ପ୍ରତି ବର୍ଷ ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷା ଦେଉଥିବା ବେଳେ ମାତ୍ର କିଛି ପିଲା ଏଥିରେ କୃତକାର୍ଯ୍ୟ ହୋଇ ନିଜ ଲକ୍ଷ୍ୟ ପୂରଣ କରିଥାନ୍ତି । ତେବେ ୨୦୨୦ ମସିହାରେ ୟୁପିଏସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଗତକାଲି ଫଳ ପ୍ରକାଶ ପାଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ଆଶାୟୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ବିହାରର ଆଶାୟୀଙ୍କ ସଫଳତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।