ସୁନ୍ଦରଗଡ଼,୨୭/୯ : ପରକିୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିବା ନୂଆନଥିଲେ ମଧ୍ୟ ଗତକାଲି ଘଟିଥିବା ଘଟଣା ପରକିୟା ପ୍ରୀତିର କୁପରିଣତିକୁ ସ୍ପଷ୍ଟ କରିଛି । ପୁଲିସର ପ୍ରାଥମିକ ତଦନ୍ତରୁ ପ୍ରକାଶ, ସୁନ୍ଦରଗଡ଼ ପୁଲିସ ଜିଲାରେ ସଦର ଥାନା ଅନ୍ତର୍ଗତ ବାଉରିମୁଣ୍ଡାର ଜୁନାଡିହି ଗ୍ରାମରେ କାର୍ତ୍ତିକ ଟିଗା ଓ ତାଙ୍କ ପତ୍ନୀ ରହି ଆସୁଥିଲେ । କାର୍ତ୍ତିକଙ୍କ ପତ୍ନୀଙ୍କ ସହ ସେହିଗ୍ରାମର ବଳ ଓରାମ(୨୭)ଙ୍କ କୁଆଡ଼େ ଅବୈଧ ପ୍ରେମ ସଂପର୍କ ଥିଲା ବୋଲି କାର୍ତ୍ତିକ ସନ୍ଦେହ କରି ଆସୁଥିଲେ । ଗତକାଲି କାର୍ତ୍ତିକ ଘରକୁ ଫେରିବା ପରେ ପତ୍ନୀକୁ ନ ପାଇ ବଳର ଘରକୁ ଯାଇଥିଲେ । ସେଠାରେ ବଳ ମଧ୍ୟ ଅନୁପସ୍ଥିତ ଥିବାରୁ ପୁଅ ବଳର କାରନାମା ସଂପର୍କରେ ତାଙ୍କ ବାପା ମାଙ୍କୁ ସମସ୍ତ ଘଟଣା କହି ଘରୁ ନେଇଥିବା ଏକ ଟାଙ୍ଗିଆରେ ବଳର ମା’ ବଛା ଓରାମ(୬୫)କୁ ହାଣି ଦେବା ସହ ବାପା ମାଧ ଓରାମ (୭୦)କୁ ଟାଙ୍ଗିଆରେ ଚୋଟ ପକାଇଥିଲେ ମାତ୍ର ସେ ଚିତ୍କାର କରିବାରୁ ଆଖପାଖର ଲୋକ ଜମା ହୋଇଯିବାରୁ କାର୍ତ୍ତିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ବଛା ଓରାମର ମୃତ୍ୟୁ ହୋଇ ରକ୍ତର ସୁଅ ଛୁଟୁଥିବା ବେଳେ ତାଙ୍କ ସ୍ବାମୀ ମାଧ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ସଦର ଥାନା ଇନ୍ସପେକ୍ଟର ରମେଶ ଚନ୍ଦ୍ର ମାହାନା, ସବଇନ୍ସପେକ୍ଟର ଆଲୋକ ରଞ୍ଜନ ପରିଡ଼ା, ତୁଷାର ନାଏକ, ଦିପେଶ୍ବର ବୁଢ଼ା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗୁରୁତର ଅବସ୍ଥାରେ ଥିବା ମାଧ ଓରାମଙ୍କୁ ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଆଜି ସକାଳୁ ବଛା ଓରାମର ଶବକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ତଥାକଥିତ ପ୍ରେମିକ ବଳ ଓରାମ ଫେରାର ଥିବା ବେଳେ ଅଭିଯୁକ୍ତ କାର୍ତ୍ତିକ ଟିଗା ମଧ୍ୟ ଫେରାର ରହିଛି । ଅଧିକ ପଚରାଉଚରା ପାଇଁ ପୁଲିସ କାର୍ତ୍ତିକ ଟିଗାର ପତ୍ନୀଙ୍କୁ ଖୋଜାଖୋଜି କରୁଥିଲେ ହିଁ ସେ ମଧ୍ୟ ଫେରାର ଥିବାର ଜଣାପଡ଼ିଛି । ଆଜି ସକାଳୁ ସଦର ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରି କେତେକ ଗ୍ରାମବାସୀଙ୍କୁ ପଚରାଉଚୁରା ଜାରି ରଖିଛନ୍ତି । ସଦର ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିବାର ଜଣାପଡ଼ିଛି ।