ମଧ୍ୟାହ୍ନ ଭୋଜନ ଯୋଜନାର ନାଁ ବଦଳାଇଲେ କେନ୍ଦ୍ର ସରକାର : ରଖିଲେ ‘ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା’

ନୂଆଦିଲ୍ଲୀ,୨୯ /୯: ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି ଆଜି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା’ ବା ‘ପିଏମ୍‌-ପୋଷଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଆଗାମୀ ୫ ବର୍ଷରେ ଉପରୋକ୍ତ ଯୋଜନାରେ ୧,୩୦,୭୯୫ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ସମ୍ପ୍ରତି ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ‘ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ’ ସ୍ଥାନରେ ‘ପିଏମ୍‌-ପୋଷଣ ଯୋଜନା’ ପ୍ରବର୍ତ୍ତନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘କ୍ୟାବିନେଟ୍‌ କମିଟି ଅନ୍‌ ଇକୋନୋମିକ୍‌ ଆଫେୟାର୍ସ’ (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମଗ୍ର ଦେଶରେ ଥିବା ୧୧.୨ ଲକ୍ଷ ବିଦ୍ୟାଳୟରେ ୧ମ ରୁ ୮ମ ପର୍ଯ୍ୟନ୍ତ ନାମ ଲେଖାଇଥିବା ୧୧.୮ କୋଟି ଶିକ୍ଷାର୍ଥୀଙ୍କ ପାଇଁ ଏହି ଯୋଜନା ଲାଗୁ ହେବ। ଏ ସଂକ୍ରାନ୍ତ ବିବୃତିରେ ସରକାର କହିଛନ୍ତି, ୨୦୨୧-୨୨ ରୁ ୨୦୧୫-୨୬ ଅର୍ଥାତ୍‌ ୫ ବର୍ଷ ପର୍ଯ୍ୟନ୍ତ ଚାଲୁ ହେବାକୁ ଥିବା ଏହି ଯୋଜନା ନିମନ୍ତେ କେନ୍ଦ୍ର ସରକାର ୫୪୦୬୧.୭୩ କୋଟି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ୩୧୭୩୩.୧୭ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଖାଦ୍ୟଶସ୍ୟ ନିମନ୍ତେ କେନ୍ଦ୍ର ସରକାର ଅତିରିକ୍ତ ୪୫,୦୦୦ କୋଟି ଟଙ୍କା ବହନ କରିବେ। ତେଣୁ, ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ ହେଉଛି ୧୩୦୭୯୪.୯ କୋଟି ଟଙ୍କା।