ନୂଆଦିଲ୍ଲୀ,୨/୧୦ : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ, ଗୃହ ମନ୍ତ୍ରାଳୟ ଅନେକ ବିଜେପି ନେତାଙ୍କ ସୁରକ୍ଷା ପାଇଁ ହଜାର ହଜାର ସୈନିକ ପଠାଉଥିଲେ ବି ଦରକାର ସମୟରେ ରାଜ୍ୟକୁ ରିଲିଫ ପାଣ୍ଠି ପଠାଉ ନାହାଁନ୍ତି।
ଆଜି ବୈଠକରେ ନିଜ ଅଧିକାରୀଙ୍କ ସହ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ କରିଥିଲେ ଯେ ବାତ୍ୟା ଅମ୍ଫାନ, ଫନି, ବୁଲବୁଲ ଏବଂ ୟସ ସମୟରେ ଆପଣ ଆମ ପାଇଁ କେତେ ପାଣ୍ଠି ପଠାଇଛନ୍ତି? ଏହା ଉପରେ ନଜର ପକାଇବା ସହ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ। ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ ଦିଦିଙ୍କ ମଧ୍ୟରେ ଅନେକ କଥା କଟାକଟି ହୋଇଥିବା ବେଳେ ଏବେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ନକରିବା ନେଇ ଟାର୍ଗେଟ କରିଛନ୍ତି ଦିଦି। ପଶ୍ଚିମବଙ୍ଗରେ କେନ୍ଦ୍ର ସରକାର ନିଜ ଦଳକୁ ସମର୍ଥନ ସହ ସାହାଯ୍ୟ ଯୋଗାଇ ଦେଉଥିଲେ ବି ଟିଏମସିକୁ ଅଣଦେଖା କରିଥିବା କହିଛନ୍ତି ମମତା ବନାର୍ଜୀ। ନିଜ ନେତାଙ୍କୁ ସୁରକ୍ଷା ଦେଉଥିଲେ ବି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଶ୍ଚିମବଙ୍ଗବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇନଥିବା କହି ପ୍ରଧାନମନ୍ତ୍ରୀଙ୍କୁ ଦିଦି ସମାଲୋଚନା କରିଛନ୍ତି।
ଏଥିସହ ମମତା କହିଛନ୍ତି ଯେ, ଦୁର୍ଗା ପୂଜା କମିଟି ପାଇଁ ଅର୍ଥ ଆବଣ୍ଟନ ପାଇଁ ନିର୍ବାଚନ ଆୟୋଗ ଆମକୁ ଅନୁମତି ଦେଇଛନ୍ତି। ଲକ୍ଷ୍ମୀ ଭଣ୍ଡାର ଯୋଜନା ଅନୁଯାୟୀ ନିର୍ବାଚନ ହେବାକୁ ଥିବା ସମସ୍ତ ଜିଲ୍ଲା ପାଇଁ ଅର୍ଥ ପ୍ରଦାନ କରାଯିବ। ନିର୍ବାଚନ ପରେ ଏଠାକୁ ପାଣ୍ଠି ପଠାଯିବ।