ଜଳ ନିଷ୍କାସନ ପଥ ଅବରୋଧ ନେଇ ରାସ୍ତା ରୋକ କଲେ ଓରତ ଗ୍ରାମବାସୀ

କେନ୍ଦ୍ରାପଡା,୨/୧୦ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳିପଡ଼ା ପଂଚାୟତ ଓରତ ଗାଁରେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆସିନି l ଯାହାଫଳରେ ବର୍ଷା ଜଳ ଗାଁ ଦାଣ୍ଡରେ ଜମିରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି l ଏନେଇ ଗ୍ରାମବାସୀ ବହୁବାର ପ୍ରଶାସନକୁ ହାରି ଗୁହାରି କରି ସୁଫଳ ପାଇନାହାନ୍ତି l ଏନେଇ ସାଧାରଣରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରୁ ଗାଁ ଲୋକେ ମିଳିତ ଭାବେ ରାଜରାସ୍ତାକୁ ଗୋଡ଼ କାଢିଛନ୍ତି l ଗ୍ରାମବାସୀଙ୍କ ଅଶାନ୍ତି ପୁଞ୍ଜିଭୂତ ହୋଇ ଶନିବାର ଓରତ ବଡ଼ିହି ରାସ୍ତା ଅବରୋଧ କରିଥିଲେ l ମୁଖ୍ୟରାସ୍ତା ଅବରୋଧ ଯୋଗୁ ଓରତ ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଘୋଡା ଅଟକି ରହିଥିଲା l ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଥିଲା l ଦୀର୍ଘ ସମୟ ଧରି ରାସ୍ତାବରୋଧ ପରେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଂଚି ଅବରୋଧ କାରି ମାନଙ୍କ ସହିତ ଆଲୋଚନା ପରେ ରାସ୍ତା ଅବରୋଧ କାରୀମାନେ ଘଟଣା ସ୍ଥଳ ଛାଡିଥିଲେ l ଅବରୋଧ କାରୀମାନେ ହଟିବା ପରେ ଯାତାୟତ ସ୍ୱlଭାବିକ ହୋଇଥିବାର ଜଣାପଡିଛି l