ପିପିଲିରେ ପୁଣି ଶଙ୍ଖ : ଜିତିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ

ପୁରୀ,୩/୧୦: ପିପିଲିର ମତଦାତା ପୁଣି ବିଜେଡି ଉପରେ ଭରସା ରଖିଛନ୍ତି। ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ବିପୁଳ ବିଜୟ ହୋଇଛି। ବିଜେଡି ୨୦ ହଜାର ୯୧୬ ଖଣ୍ଡ ଭୋଟ୍‌ର ବ୍ୟବଧାନରେ ପିପିଲି ନିର୍ବାଚନ ମଣ୍ଡଳୀକୁ ଅଧିକାର କରିଛି। ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୩୯୨ ଖଣ୍ଡ ଭୋଟ ମିଳିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୫,୭୭୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୩ୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୩୭ ଭୋଟ୍‌ ମିଳିଛି।

ପିପିଲିରେ ପୁଣି ଥରେ ବିଜେଡି ନିର୍ବାଚନ ଜିତିଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ବିଜେଡି କର୍ମୀମାନେ ଭୋଟ ଗଣତିସ୍ଥଳ ପୁରୀର ପେଣ୍ଠକଟାସ୍ଥିତ େଓ୍ଵୟାର ହାଉସ୍‌ ସମ୍ମଖରେ ଉତ୍ସାହ ମନାଇଛନ୍ତି। ବିଜେଡି ସମର୍ଥକମାନେ ନିଜର ବିଜୟ ସୁନିଶ୍ଚିତ ଆଶା ରଖି ନିର୍ବାଚନ ଫଳାଫଳ ପୂର୍ବରୁ ଉତ୍ସାହ ମନାଇବା ଆରମ୍ଭ କରିଦେଇଥିଲେ।

ସୂଚନାଯୋଗ୍ୟ, ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ୨୦୨୦ ମସିହାରୁ ବିଜେଡି ହାତରେ ରହିଛି। ଏଠାରୁ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାର ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ନିର୍ବାଚନ ଜିତିଥିଲେ। କେବଳ ସେତିକି ନୁହେଁ ପିପିଲି ନିର୍ବାଚନ ମଣ୍ଡଳୀ ସହିତ ମହାରଥୀ ପରିବାରର ସଂପର୍କ ଆହୁରି ପୁରୁଣା। କାରଣ ସ୍ୱର୍ଗତ ପ୍ରଦୀପ ମହାରଥୀ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି ଟିକେଟ୍‌ରେ ୧୯୮୫ ଓ ୧୯୯୦ ମସିହାରେ ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ।