ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ
ଇଂଜିନିୟରିଂ ଓ ମେଡିକାଲ ନିମନ୍ତେ ସ୍ୱତନ୍ତ୍ର କୋଚିଂ
ଭୁବନେଶ୍ୱର,୪/୧୦: ଆଜି ଭର୍ଚୁଆଲ ମୋଡ୍ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ପବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ସଂପ୍ରତି ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ୱାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ପ୍ରତ୍ୟେକ ବର୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦେଇଥା’ନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଏବଂ ଯୁବବୟସରୁ ଏହି ବର୍ଗର ପିଲାମାନଙ୍କ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥି ପାଇଁ ମେଧା ଭିତ୍ତିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ହାଇସ୍କୁଲର ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ । ଆଦିବାସୀ-ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ରହୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ କୋଚିଂ ସୁବିଧା ପାଇପାରିବେ ଓ ସେମାନଙ୍କର ପ୍ରତିଭା ସମେତ ପ୍ରତିଯୋଗୀ ମନୋଭାବ ବିକଶିତ ହୋଇପାରିବ। ଏହି ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ଦ୍ୱାରା ଦଶମ ଶ୍ରେଣୀର ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ତରୁଣ ବୟସରୁ ପ୍ରୋତ୍ସାହିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏକ ଅନ୍ତର୍ଭୁକ୍ତିକରଣ ଆଭିମୁଖ୍ୟ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିବେଶରେ କୋଚିଂ ପ୍ରଦାନ କରାଯିବ।
ଏହି ଅବସରରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ନିମନ୍ତେ ମନୋନୀତ କୋଚିଂ ଏଜେନ୍ସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଏଜେନ୍ସିଗୁଡ଼ିକ ପ୍ରତ୍ୟକ୍ଷ ଭାବେ (ଅନ ସାଇଟ) ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନ କରିବେ ଓ ମନୋନୀତ ଛାତ୍ରଛାତ୍ରୀଙ୍କୁ ୭ଟି ଉତ୍କର୍ଷ କେନ୍ଦ୍ରରେ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଦେବେ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଂସଦ ପାଣ୍ଠିରୁ ୨୦୦ଟି ଟାବ୍ଲେଟ୍ ପ୍ରଦାନ କରିଥିଲେ। ଟାବ୍ଲେଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଡିଜିଟାଲ୍ ଶିକ୍ଷା ଗ୍ରହଣ କରିପାରିବେ ଏବଂ ସେମାନେ ଘରେ ଥିବା ସମୟରେ ସେମାନଙ୍କ ପ୍ରଶିକ୍ଷକଙ୍କ ସହିତ ସଂଯୁକ୍ତ ହୋଇପାରିବେ। ପୁଣି ସେମାନେ ଦେଶ ଓ ଦେଶ ବାହାରୁ ବିଷୟ ସଂପର୍କିତ ତଥ୍ୟ ଓ ସମ୍ବଳ ଏବଂ ଅନ୍ୟାନ୍ୟ ପାଠ୍ୟସାମଗ୍ରୀ ଆହରଣ କରିପାରିବେ। ଚଳିତ ବର୍ଷର ମନୋନୀତ ଛାତ୍ରଛାତ୍ରୀମାନେ ୨୦୨୩ ବର୍ଷର ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବେ।