ଭୁବନେଶ୍ୱର,୨୬/୧୧: ରାୟଗଡ଼ା କାଶୀପୁରରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଛି। ଘଟଣାର ଦିନକ ପରେ ମାମଲାରେ ସଂପୃକ୍ତ ଆଉ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ପି.ଗୋବିନ୍ଦରାଓ । ଅନ୍ୟପକ୍ଷେ ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି। ଏବେ ସୁଦ୍ଧା ଘଟଣାରେ ମୋଟ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ କୃଷ୍ଣ ନାୟକ ଫେରାର ଅଛି। ପୋଲିସ ତାକୁ ଧରିବାକୁ ଉଦ୍ୟମ ଜାରି ରଖିଛି।
ଅପରପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ଆଜି କଟକରୁ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ା ଗସ୍ତ କରିଥିବା ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସେହିପରି ଦୁଇ ଦୁଇ ଥର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରାଯିବା ପରେ ତାଙ୍କୁ ସୁରକ୍ଷା ଦିଆଯିବା ନେଇ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଜିଲ୍ଲାରେ ଖାରବେଳ ସ୍ୱାଇଁ ମିଟିଂ କରିବେ। ସେହି ଅଞ୍ଚଳରେ ତାଙ୍କୁ ସୁରକ୍ଷା ଦେବାକୁ ସବୁ ଏସ୍ପିମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।