କେନ୍ଦୁଝର, ୪/୧୦: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପୈତୃକ ଗାଁ ରାଇକଳାରେ ଶୋକାକୁଳ ମଧ୍ୟରେ ଏକାଦଶହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅରିନ୍ଦମ ଜଣେ ନିର୍ଭୀକ ସାହସୀ ସାମ୍ବାଦିକ ଭାବରେ ସାରା ରାଜ୍ୟରେ ବେଶ ପରିଚିତ ଥିଲେ ଗତ ସେପ୍ଟେମ୍ବର ୨୪ ତାରିଖରେ ମହାନଦୀ ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀକୁ ରେସ୍କ୍ୟୁ କରିବାକୁ ଓଡ୍ରାଫ ଟିମ ସହ ଯାଇଥିବା ସମୟରେ ବୋଟ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମର ଯୁଗଳ କିଶୋର ଦାସ ଓ କୁନି ଦାସଙ୍କ ଏକ ମାତ୍ର ପୁଅଥିଲେ ଅରିନ୍ଦମ । ପିଲାଦିନରୁ ସେ ଖୁବ ସାହସୀ ଓ ନିର୍ଭୀକ ଥିଲେ। ତାଙ୍କର ଅକାଳ ବିୟୋଗରେ ପରିବାର ତଥା ସାରା ଗଣମାଧ୍ୟମ ଜଗତ ପାଇଁ ଏକ ଅପୁରଣୀୟ କ୍ଷତିଘଟିଛି । ତାଙ୍କ ଦେଢବର୍ଷର ପୁଅ ଏବଂ ସ୍ତ୍ରୀ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ଜଣେ ଉଦ୍ୟମାନ ଯୁବ ପ୍ରତିଭାକୁ ହରାଇ ସାଙ୍ଗ ସାଥି ସହକର୍ମୀ ଆତ୍ମୀୟ ସ୍ଵଜନ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗାଁର ଲଢୁଆ ପୁଅକୁ ସାରା ଗ୍ରାମ ତଥା କେନ୍ଦୁଝର ଅଞ୍ଚଳବାସୀ ଝୁରୁଛନ୍ତି ।
ଏକାଦଶାହ କାର୍ଯ୍ୟରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ପାଟଣା ବ୍ଲକ ଅଧକ୍ଷ ବିଦ୍ୟାଧର ଦାଶ, ରାଜନଗର ସରପଞ୍ଚ ସରସ୍ୱତୀ ନାଏକଙ୍କ ସମେତ ଜନ ପ୍ରତିନିଧିମାନେ ଉପସ୍ଥିତ ହୋଇ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।